ଅକ୍ଟୋବର ୧୫ରୁ ଖୋଲିବ ସିନେମା ହଲ୍‌

ନୂଆଦିଲ୍ଲୀ,୧।୧୦: ଅନ୍‌ଲକ୍‌ ୫.୦ ଲାଗି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଗାଇଡ୍‌ଲାଇନ୍‌ ଜାରି କରାଯାଇଛି। ଅକ୍ଟୋବର ୧୫ରୁ ସର୍ତ୍ତମୂଳକ ଭାବେ ସିନେମା ହଲ୍‌ ଓ ଥିଏଟର ଖୋଲିବା ଲାଗି ଅନୁମତି ପ୍ରଦାନ କରାଯାଇଛି। ଅଧା ଦର୍ଶକଙ୍କୁ ନେଇ ସିନେମା, ଥିଏଟର ଚଲାଇବାକୁ କୁହାଯାଇଛି। ଏଥିଲାଗି ସ୍ବତନ୍ତ୍ର ଗାଇଡ଼୍‌ଲାଇନ୍‌ ଜାରି କରାଯିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏହାସହ ସ୍କୁଲ, କଲେଜ, କୋଚିଂ ସେଣ୍ଟର, ଇ- ଏଜୁକେଶନ ଅନୁଷ୍ଠାନ ଖୋଲିବା ଲାଗି ମଧ୍ୟ ଅନୁମତି ପ୍ରଦାନ କରାଯାଇଛି। କରୋନା ଲାଗି ଗତ ମାର୍ଚ୍ଚରୁ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ଅକ୍ଟୋବର ୧୫ ପରେ ଶିକ୍ଷାନୁଷ୍ଠାନ ଖୋଲିବା ସମ୍ପର୍କରେ ରାଜ୍ୟ ସରକାର ପରିସ୍ଥିତିକୁ ଦେଖି ବିଚାର କରିପାରିବେ ବୋଲି କୁହାଯାଇଛି। ପିଲା ସ୍କୁଲକୁ ଆସିବା ଲାଗି ଅଭିଭାବକଙ୍କ ଅନୁମତି ବାଧ୍ୟତାମୂଳକ କରାଯାଇଛି। ଉପସ୍ଥାନକୁ ଅଗ୍ରାଧିକାର ନ ଦେବା ଲାଗି କୁହାଯାଇଛି। ଏଥିସହ କଣ୍ଟେନମେଣ୍ଟ ଜୋନ୍‌ ବାହାରେ ପ୍ରମୋଦ ଉଦ୍ୟାନ ଖୋଲିବା ଲାଗି ମଧ୍ୟ ଅନୁମତି ମିଳିଛି।
ସାଂସ୍କୃତିକ, ସାମାଜିକ, କ୍ରୀଡ଼ା, ଧାର୍ମିକ ଓ ରାଜନୈତିକ ସମାବେଶ ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। କଣ୍ଟେନ୍‌ମେଣ୍ଟ ବାହାରେ ୧୦୦ ଲୋକଙ୍କୁ ନେଇ ଏସବୁ କାର୍ଯ୍ୟକ୍ରମ ଏଣିକି ସର୍ତ୍ତମୂଳକ ଭାବେ କରାଯାଇପାରିବ। କ୍ରୀଡ଼ାବିତ୍‌ଙ୍କ ପ୍ରଶିକ୍ଷଣ ଲାଗି ସୁଇମିଂ ପୁଲ୍‌ ଖୋଲିବା ନେଇ ସରକାର ଅନୁମତି ପ୍ରଦାନ କରିଥିବାବେଳେ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏସ୍‌ଓପି ଜାରି କରାଯିବ ବୋଲି କୁହାଯାଇଛି।
ମହାମାରୀ କରୋନାକୁ ଦୃଷ୍ଟିରେ ରଖି ଅକ୍ଟୋବର ୩୧ ପର୍ଯ୍ୟନ୍ତ କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଦର୍ଶାଯାଇଛି। ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣା ଉପରେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ କରିନାହାନ୍ତି। ମହାମାରୀ କରୋନା ଯୋଗୁ ଜାରି ହୋଇଥିବା କଟକଣାକୁ ସରକାର ଆସ୍ତେ ଆସ୍ତେ କୋହଳ କରି ସ୍ବାଭାବିକ ପରିସ୍ଥିତି ସୃଷ୍ଟି କରିଛନ୍ତି। ଆର୍ଥିକ କାରବାର ବୃଦ୍ଧି ଓ ସାମାଜିକ ଚଳଣିରେ ପରିବର୍ତ୍ତନ ଆଣିବା ଲାଗି ପ୍ରୟାସ କରାଯାଇଛି। ରାଜ୍ୟ ଭିତରେ କିମ୍ବା ରାଜ୍ୟ-ରାଜ୍ୟ ମଧ୍ୟରେ ସାମଗ୍ରୀ ଓ ଯାତ୍ରୀ ପରିବହନ କଟକଣାକୁ ଉଠାଇ ଦିଆଯାଇଛି।

Share