କୋଲକାତା,୯।୬: ଟିଏମସି ସତ୍ତା ହରାଇବା ପରେ ପଶ୍ଚିମବଙ୍ଗ ରାଜନୀତିରେ କୋଣଠେସା ହୋଇପଡ଼ିଥିବା ମମତା ବାନାର୍ଜୀଙ୍କ ଅସୁବିଧା କମିବାର ନାଁ ନେଉନାହିଁ। ମଙ୍ଗଳବାର କୋଲକାତାସ୍ଥିତ ତାଙ୍କ କାଳୀଘାଟ କାର୍ଯ୍ୟାଳୟ (ଅଫିସ)ରେ ସିଆଇଡି (CID) ଟିମ ପହଞ୍ଚିଛି। ରିପୋର୍ଟ ଅନୁଯାୟୀ, ଏହି ଟିମ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ନୋଟିସ ଦେବା ପାଇଁ ସେଠାକୁ ଯାଇଥିବା ସୂଚନା ମିଳିଛି। ଏହା ଏକ ଜାଲ ଦସ୍ତଖତ (ଫର୍ଜରି) ମାମଲା ସହ ଜଡ଼ିତ, ଯେଉଁଥିରେ ଅଭିଷେକ ବାନାର୍ଜୀ ଦସ୍ତଖତ କରିଥିଲେ ଏବଂ ଏହାକୁ ବାଚସ୍ପତିଙ୍କୁ ହସ୍ତାନ୍ତର କରାଯାଇଥିଲା।
ଅନ୍ୟପଟେ, ଟିଏମସିର ପୂର୍ବତନ ବିଧାୟକ ସବ୍ୟସାଚୀ ଦତ୍ତଙ୍କୁ ଅଦାଲତ ଆଠ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦେଇଛନ୍ତି। ଜବରଦସ୍ତି ଚାନ୍ଦା ଆଦାୟ ଏବଂ ଅପରାଧିକ ଧମକ ଦେବା ଅଭିଯୋଗରେ ମଙ୍ଗଳବାର ଭୋର ସମୟରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲାରୁ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୋଗରେ ଦର୍ଶାଯାଇଥିଲା ଯେ ଦତ୍ତ ଜବରଦସ୍ତି ଚାନ୍ଦା ଆଦାୟ କାର୍ଯ୍ୟକଳାପରେ ସାମିଲ ଥିଲେ ଏବଂ ସେ ୨୦୧୮ରେ ଅଭିଯୋଗକାରୀଙ୍କ ଠାରୁ ଏକ କୋଟିରୁ ଅଧିକ ଟଙ୍କା ଦାବି କରିଥିଲେ।