ଚର୍ଚ୍ଚରେ ଗୁଳିମାଡ଼, ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିଲା…

ଓ୍ବାଶିଂଟନ, ୧୬।୫ : ଆମେରିକାରେ ପ୍ରତିଦିନ ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି। ସଦ୍ୟତମ ମାମଲା ଆମେରିକାର କାଲିଫର୍ନିଆ ଘଟିଛି। ସେଠାରେ ଏକ ଚର୍ଚ୍ଚରେ ଗୁଳିମାଡ଼ ହୋଇଛି। ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ନିକଟରୁ ଏକ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ବର୍ତ୍ତମାନ ପୋଲିସ ଏହି ବ୍ୟକ୍ତିଙ୍କୁ ପଚରାଉଚରା କରୁଛି। ଏହି ଘଟଣା ଦକ୍ଷିଣ କାଲିଫର୍ନିଆର ପ୍ରେବିସ୍ବେଟରିଆନ ଚର୍ଚ୍ଚରେ ଘଟିଛି।

ସ୍ଥାନୀୟ ପୋଲିସର ସୂଚନାନୁସାରେ, ଅରେଞ୍ଜ୍‌ କାଉଣ୍ଟି ସରିଫ ବିଭାଗ କହିଛି ଯେ ଲାଗୁନା ଉଡସ୍‌ ସହରର ଜେନେଭା ପ୍ରେବିସ୍ବେଟରିଆନ ଚର୍ଚ୍ଚରେ ଗୁଳି ମାଡ଼ ହୋଇଛି। ମାମଲାଟି ରବିବାର ଅପରାହ୍ନ ପ୍ରାୟ ଗୋଟାଏ ବେଳେ ଘଟିଛି। ଗୁଳି ଚଳାଇବାର ଶବ୍ଦ ଶୁଣି ସେଠାରେ ଥିବା ଲୋକେ ଭୟରେ ଦୌଡ଼ିଦୌଡ଼ି ଆରମ୍ଭ କରିଥିଲେ।
ଗୁଳି ମାଡ଼ ସମୟରେ ଚର୍ଚ୍ଚରେ ପ୍ରାୟ ୩୦ ଜଣ ଲୋକ ଉପସ୍ଥିତ ଥିଲେ। ଚର୍ଚ୍ଚର ଅଧିକାଂଶ ଲୋକ ତାଇୱାନ ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ଘଟଣାର ବ୍ୟାପକ ଅନୁସନ୍ଧାନ କରାଯାଉଛି। ପୋଲିସ ସନ୍ଦେହ କରୁଛି ଯେ ଗୁଳି ଚଳାଇଥିବା ବ୍ୟକ୍ତି ଘୃଣାଭାବରେ ଏହି ଘଟଣା ଘଟାଇଛନ୍ତି।

ସୂଚନା ଯୋଗ୍ୟ, ଶନିବାର, ନ୍ୟୁୟର୍କର ବଫେଲୋରେ ଜଣେ ବ୍ୟକ୍ତି ଏକ ସୁପର ମାର୍କେଟରେ ଆଖିବୁଜା ଗୁଳି ଚଳାଇଥିଲେ ଯେଉଁଥିରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଆହତ ହୋଇଥିଲେ।
ଦେଶରେ ଗୁଳିମାଡ଼ ଘଟଣା ବୃଦ୍‌ଦି ପାଉଥିବାରୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share