ଅନିଶ୍ଚିତତାରେ ଚଉଷଠି ଯୋଗିନୀ ମହୋତ୍ସବ

ବାଳକାଟୀ,୨୧।୧୨(ଡି.ଏନ୍‌.ଏ): ରାଜ୍ୟରେ କରୋନା କଟକଣା କୋହଳ ହେବା ସହ ସଭା, ସମିତି, ଉତ୍ସବ କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ କରିବାକୁ ସରକାର କହିଛନ୍ତି। ତେବେ ରାଜଧାନୀ ଉପକଣ୍ଠ ବାଳକାଟୀର ପ୍ରସିଦ୍ଧ ଚଉଷଠି ଯୋଗିନୀ ମହୋତ୍ସବ ପାଇଁ ଅଳ୍ପଦିନ ବାକି ଥିବାବେଳେ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ ଅନୁମତି ମିଳି ନାହିଁ। ସରକାରୀ ସ୍ତରରେ ଏପରି ଅବହେଳାକୁ ନେଇ ଯୋଗିନୀ ମହୋତ୍ସବର ଆୟୋଜକ ନୃତ୍ୟ ପ୍ରତିଭା ଅନୁଷ୍ଠାନ ଦ୍ୱନ୍ଦ୍ୱରେ ରହିଛି। ଏ ନେଇ ଅନୁଷ୍ଠାନ ପକ୍ଷରୁ ରବିବାର ସ୍ଥାନୀୟ ଯୋଗିନୀ ପୀଠ ସାଂସ୍କୃତିକ ମଣ୍ଡପରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ନୃତ୍ୟ ପ୍ରତିଭାର ସମ୍ପାଦିକା ପ୍ରତିଭା ପଣ୍ଡା ସମ୍ମିଳନୀରେ ସଭାପତିତ୍ୱ କରି ସରକାରଙ୍କ ମହୋତ୍ସବକୁ ଅନୁମତି ପ୍ରଦାନରେ ଟାଳଟୁଳ ନୀତି କରୁଥିବାର ସମାଲୋଚନା କରିଥିଲେ। ଅନ୍ୟପଟେ ସରକାରଙ୍କ ଅନ୍ୟ ମହୋତ୍ସବ ସବୁ ଗାଇଡ୍‌ଲାଇନ ଅନୁଯାୟୀ ହେଉଥିବା ବେଳେ ଏଠି ମଧ୍ୟ ନିୟମରେ ହେବ ବୋଲି ସମ୍ପାଦିକା କହିଛନ୍ତି। ଏହାସହ କେତେଜଣ ନ୍ୟସ୍ତସ୍ବାର୍ଥ ବ୍ୟକ୍ତି ମହୋତ୍ସବ ନ କରାଇବାକୁ ଚକ୍ରାନ୍ତ ଚଳାଇଥିବା ସେ ଅଭିଯୋଗ କରିଛନ୍ତିି। ସୂଚନା ଥାଉ କି, ମହୋତ୍ସବରେ ନୃତ୍ୟ ପ୍ରତିଭାର କେତେଜଣ କର୍ମୀ ଓ ଟ୍ରଷ୍ଟ କର୍ମକର୍ତ୍ତାଙ୍କୁ ନେଇ ଆୟୋଜନ ଚାଲିଥିବାବେଳେ ସ୍ଥାନୀୟ ପ୍ରତିଭା ଓ ଜନପ୍ରତିନିଧିଙ୍କ ଅଣଦେଖା କରାଯାଉଥିବା ନେଇ ଅସନ୍ତୋଷର କାରଣ ସାଜିଥିଲା। ମହୋତ୍ସବ ନେଇ ନିକଟରେ ଏକ ଖବରଦାତା ସମ୍ମିଳନୀ ହୋଇଥିବାବେଳେ ମହୋତ୍ସବର ଆୟବ୍ୟୟର ହିସାବ ସାଧାରଣରେ ପ୍ରକାଶ ନ କରିବା ନେଇ ପ୍ରଶ୍ନ ଉଠାଇଥିଲେ। ଏ ସମ୍ପର୍କରେ ନୃତ୍ୟ ପ୍ରତିଭା ସମ୍ପାଦିକା ପ୍ରତିଭା ପଣ୍ଡା କହିଛନ୍ତି, ଆମେ ସବୁବେଳେ ଗ୍ରାମବାସୀ ଓ ଟ୍ରଷ୍ଟଙ୍କ ସହଯୋଗରେ କାମ କରି ଆସୁଛୁ। କେତେଜଣ ଜାଣିଶୁଣି ମହୋତ୍ସବ ନ କରିବା ଲାଗି ଚକ୍ରାନ୍ତ ଚଳାଇଥିବାବେଳେ ସରକାର ମଧ୍ୟ ଟାଳଟୁଳ ନୀତି କରୁଥିବାରୁ ମହୋତ୍ସବ ହେବାକୁ ନେଇ ଅନିଶ୍ଚିତତାରେ ରହିଛି।