Categories: ଜାତୀୟ

ଡୋମିନିକାରୁ ଧରାହେଲେ ଚୋକ୍‌ସି

ନୂଆଦିଲ୍ଲୀ,୨୭।୫: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ (ପିଏନ୍‌ବି)ରୁ ୧୪ ହଜାର କୋଟି ଟଙ୍କାର ଋଣ ଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ପଳାତକ ମେହୁଲ ଚୋକ୍‌ସିଙ୍କୁ ଡୋମିନିକାରୁ ଧରାଯାଇଥିବା ଏକ ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି। ସେ ମଙ୍ଗଳବାର ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ସେଠାକାର ପୋଲିସ ଖୋଜୁଥିଲା। ଚୋକ୍‌ସି ବର୍ତ୍ତମାନ ଡୋମିନିକାର କ୍ରିମିନାଲ ଇନ୍‌ଭେଷ୍ଟିଗେଶନ ଡିପାର୍ଟମେଣ୍ଟ(ସିଆଇଡି) ହାଜତରେ ରହିଥିବା ଆଣ୍ଟିଗୁଆ ନ୍ୟୁଜ୍‌ରୁମ୍‌ ଏକ ରିପୋର୍ଟ ପ୍ରକାଶ କରିଛି। ତାଙ୍କୁ ଶେଷ ଥର ଲାଗି ଦ୍ୱୀପ ଦେଶର ଦକ୍ଷିଣ ଭାଗରେ ଗାଡ଼ି ଚଳାଉଥିବାର ଦେଖାଯାଇଥିଲା। ପରେ ଗାଡ଼ି ଗୋଟିଏ ସ୍ଥାନରେ ରଖି ସେ କେଉଁଆଡ଼େ ଉଭାନ ହୋଇଯାଇଥିଲେ। ଉଲ୍ଲେଖଯୋଗ୍ୟ, ଚୋକ୍‌ସି କାରିବିଆନ ଦ୍ୱୀପର ଦେଶ ଆଣ୍ଟିଗୁଆ ଏବଂ ବରବୁଡାର ନାଗରିକତ୍ୱ ଗ୍ରହଣ କରିଛନ୍ତି। ପିଏନ୍‌ବି ଦୁର୍ନୀତି ସାମ୍ନାକୁ ଆସିବା ପରେ ସେ ଭାରତ ଛାଡ଼ି ୨୦୧୮ରେ ପଳାୟନ କରିଥିଲେ। ପିଏନ୍‌ବି ଦୁର୍ନୀତିରେ ତାଙ୍କ ଭଣଜା ନୀରବ ମୋଦି ସାମିଲ ଅଛନ୍ତି।

Share