ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ପ୍ରକାରର ଚକୋଲେଟ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ବିଭିନ୍ନ ରୋଗର କାରଣ ହୋଇପାରେ।

ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପୃଥିବୀର ବିଭିନ୍ନ ଦେଶର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବେଲଜିୟମରେ ନିର୍ମିତ ଚକୋଲେଟରେ ମିଳୁଥିବା ସଲମୋନେଲା ନାମକ ଏକ ବିଷାକ୍ତ ପଦାର୍ଥ ଅତ୍ୟନ୍ତ ବିପଜ୍ଜନକ। ୧୧ ଟି ୟୁରୋପୀୟ ଦେଶରେ ଏ ସମ୍ପର୍କିତ ୧୫୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। ସଲମୋନେଲା ଟାଇଫିମ୍ୟୁରିୟମ ହେଉଛି ଏକ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ସୃଷ୍ଟି କରୁଥିବା ପାଥୋଜେନିକ ବ୍ୟାକ୍ଟେରିଆ।

ମାର୍ଚ୍ଚ ମାସରେ ବ୍ରିଟେନ ଏକ ବ୍ୟାକ୍ଟେରିଆ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଥିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ଅବଗତ କରିଥିଲା। ଏହା ପରେ, ଯେତେବେଳେ ଅନୁସନ୍ଧାନ ଆରମ୍ଭ ହେଲା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଜାଣିବାକୁ ପାଇଲା ଯେ ସଲମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଖାଦ୍ୟ ବିଷାକ୍ତ ହେବା ଘଟଣା ଯୋଗୁ ଏହି ସଂକ୍ରମଣ ବ୍ୟାପୁଛି। ଏହି ସଲମୋନେଲା ବ୍ୟାକ୍ଟେରିଆ ବେଲଜିୟମ ଚକୋଲେଟରେ ରହିଛି।

ଖବର ଅନୁଯାୟୀ, ବେଲଜିୟମରେ ନିର୍ମିତ ଏହି ଚକୋଲେଟକୁ ୧୧୩ ଟି ଦେଶକୁ ରପ୍ତାନୀ କରାଯାଇଥିଲା। କିନ୍ତୁ ସଂକ୍ରମଣର ଘଟଣା ସାମ୍ନାକୁ ଆସିବା ମାତ୍ରେ ଏହି ଚକୋଲେଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦିଆଯାଇଛି । ଏହି ଚକୋଲେଟ୍‌ ଷ୍ଟକ୍‌କୁ ହଟାଇ ଦିଆଯାଇଛି।

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ସଂକ୍ରମଣର ଅଧିକାଂଶ ଘଟଣା ଦଶ ବର୍ଷରୁ କମ ବୟସର ପିଲାମାନଙ୍କଠାରେ ଦେଖିବାକୁ ମିଳିଛି। ପ୍ରଭାବିତ ଶିଶୁଙ୍କ ସଂଖ୍ୟା ପ୍ରାୟ ନବେ ପ୍ରତିଶତ ରହିଛି। ରିପୋର୍ଟର ତଥ୍ୟ ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ନଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଳା। ତେବେ ଏହି ସଂକ୍ରମଣ ଯୋଗୁ କୌଣସି ମୃତ୍ୟୁ ଘଟିନାହିଁ।

ଏହାପୂର୍ବରୁ, ଅନ୍ତର୍ଜାତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ନେଟୱାର୍କ ଏପ୍ରିଲ ୧୦ ରେ ଏକ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରତ୍ୟାହାର ଲାଗି ସତର୍କ ସୂଚନା ଜାରି କରିଥିଲା। କୁହାଯାଇଥିଲା ଯେ ଏପର୍ଯ୍ୟନ୍ତ ୧୧ ଟି ଦେଶରୁ ପ୍ରାୟ ୧୫୦ ଟି ମାମଲା ଚିହ୍ନଟ ହୋଇଛି। ଆକ୍ରାନ୍ତମାନେ ଏକ ପ୍ରକାର ଚକୋଲେଟ ଉତ୍ପାଦ ଖାଇଥିବା ଅନ୍ତର୍ଜାତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ନେଟୱାର୍କ ପକ୍ଷରୁ କୁହାଯାଇଥିଲା। ଏହା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛି।

Share