ଜେଲରେ ରହି ସ୍ବାବଲମ୍ବୀ ଚିତ୍ତରଞ୍ଜନ

ଛତ୍ରପୁର,୨୩।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକାରାଗାରରେ ଜଣେ ବିଚାରାଧୀନ ବନ୍ଦୀ ମାଟି ହାଣ୍ଡିରେ ଚିତ୍ର ଆଙ୍କି ସ୍ବାବଲମ୍ବୀ ହୋଇଛନ୍ତି। ପ୍ରଶାସନ ତାଙ୍କୁ ସହଯୋଗର ହାତ ବଢ଼ାଇଛି। ୨୦୧୭ ଜାନୁୟାରୀରେ ଗଞ୍ଜାମ ଥାନା ଅଧୀନ ମଲାଡ଼ ଗ୍ରାମର ଆର.ଚିତ୍ତରଞ୍ଜନ ଏକ ବଳାକତ୍ାର ମାମଲାରେ ଗିରଫ ହୋଇ ଛତ୍ରପୁର ଜେଲରେ ଅଛନ୍ତି। କିଛିଦିନ ତଳେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଜେଲକୁ ପରିଦର୍ଶନରେ ଆସିଥିବା ବେଳେ କାନ୍ଥରେ ଭଲ ଚିତ୍ର ଅଙ୍କାଯାଇଥିବା ଓ ତାହାକୁ ଜେଲ ଅନ୍ତେବାସୀ ଚିତ୍ତରଞ୍ଜନ କରିଥିବା ଜାଣିବାକୁ ପାଇଥିଲେ। ଜିଲାରେ ଓର୍‌ମାସ, ମିଶନ ଶକ୍ତି ଓ ଓଏଲ୍‌ଏମ୍‌ ପକ୍ଷରୁ ଗଞ୍ଜାମ ହାଟ ଖୋଲାଯାଇଛି। ସେଠାରେ ଗୁଡ଼ହାଣ୍ଡି ବିକ୍ରି ହେଉଥିବା ବେଳେ ଉକ୍ତ ହାଣ୍ଡିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ କୁହାଯାଇଥିଲା। ଏଥିପାଇଁ ତାଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଜେଲ ଅଧୀକ୍ଷକ ଶୁଭସ୍ମିତା ବିଶ୍ୱାଳ ବିଭିନ୍ନ ପ୍ରକାର ରଙ୍ଗ, ତୂଳୀ ଆଦି ଯୋଗାଇ ଦେଇଥିଲେ। ପରେ ଓର୍‌ମାସ ପକ୍ଷରୁ ଗଞ୍ଜାମ ବ୍ଲକ ନୀଳାଦ୍ରିପୁର ଗ୍ରାମର ଏକ ମହିଳା ସଂଘଠାରୁ ଜେଲକୁ ମାଟିହାଣ୍ଡି ଅଣାଯାଇ ସେଥିରେ ଚିତ୍ର ଆଙ୍କିବାକୁ ଚିତ୍ତରଞ୍ଜନଙ୍କୁ ଦିଆଯାଇଥିଲା। ହାଣ୍ଡି ପିଛା ତାଙ୍କୁ ୧୫ ଟଙ୍କା ମିଳୁଥିବା ବେଳେ ଦୈନିକ ୬ରୁ ୭ଟି ହାଣ୍ଡିରେ ସେ ଚିତ୍ର ଆଙ୍କୁଛନ୍ତି। ଚିତ୍ତରଞ୍ଜନ ଏଯାବତ ଡିଆରଡିଏ ପକ୍ଷରୁ ଦିଆଯାଇଥିବା ୫ଶହ ହାଣ୍ଡିରେ ଚିତ୍ର ଆଙ୍କିଥିବା ଜେଲ ଅଧୀକ୍ଷକ କହିଛନ୍ତି। ଏଥିସହ ତାଙ୍କ ଚାଲିଚଳନରେ ମଧ୍ୟ ପରିବତ୍ତର୍ର୍ନ ହେଉଥିବା ସେ କହିଥିଲେ। ଛତ୍ରପୁର ଉପକାରାଗାରରେ ବର୍ତ୍ତମାନ ୧୬୭ ଜଣ ବିଚାରାଧୀନ ବନ୍ଦୀ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୬୪ ଜଣ ପୁରୁଷ ଓ ୩ଜଣ ମହିଳା। ଆଗାମୀ ଦିନରେ ଅନ୍ତେବାସୀଙ୍କୁ ଜିଲା ପ୍ରଶାସନ ସହଯୋଗରେ ପଣସ ଚିପ୍‌ସ ଓ ଝାଡୁ ତିଆରି ନେଇ ତାଲିମ ଦିଆଯିବା କାର୍ଯ୍ୟକ୍ରମ ରହିଛି। ଯାହାଦ୍ୱାରା ସେମାନେ ସ୍ବାବଲମ୍ବୀ ହୋଇପାରିବେ।