Categories: ଜାତୀୟ

୭ଦିନ ସିବିଆଇ ହାଜତକୁ ଗଲେ ଚିତ୍ରା ରାମକ୍ରିଷ୍ଣା

ନୂଆଦିଲ୍ଲୀ,୮।୩ : କୋ-ଲୋକେଶନ ଦୁର୍ନୀତି ମାମଲାରେ ରବିବାର ରାତିରେ ଗିରଫ ହୋଇଥିବା ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ଚିତ୍ରା ରାମକ୍ରିଷ୍ଣାଙ୍କୁ ଦିଲ୍ଲୀର ଏକ ଅଦାଲତ ସୋମବାର ୭ ଦିନ ପାଇଁ ସିବିଆଇ ହାଜତକୁ ପଠାଇ ଦେଇଛନ୍ତି। ସିସିଟିଭି ଆଗରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଚିତ୍ରାଙ୍କୁ ଜେରା କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ଓକିଲ ପ୍ରତିଦିନ ସନ୍ଧ୍ୟାରେ ତାଙ୍କୁ ଭେଟିବା ଲାଗି କୋର୍ଟ ଅନୁମତି ଦେଇଥିବାବେଳେ ସିବିଆଇକୁ ପ୍ରତି ୨୪ ଘଣ୍ଟାରେ ଚିତ୍ରାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇବାକୁ କୁହାଯାଇଛି।
ଏନ୍‌ଏସ୍‌ଇର ପୂର୍ବତନ ମୁଖ୍ୟ ତଦନ୍ତରେ ସହଯୋଗ କରୁ ନ ଥିବା ସରକାରୀ ଓକିଲ ସ୍ବତନ୍ତ୍ର ବିଚାରପତି ସଞ୍ଜୀବ ଅଗ୍ରଓ୍ବାଲଙ୍କ କୋର୍ଟଙ୍କୁ ଜଣାଇଥିଲେ। ୨,୫୦୦ରୁ ଊର୍ଦ୍ଧ୍ୱ ଅପରାଧମୂଳକ ଇ-ମେଲ୍‌ରେ ତାଙ୍କୁ ମୁହାଁମୁହିଁ କରାଯିବାର ଆବଶ୍ୟକ ଥିଲା। ଏପରିକି ସହଅଭିଯୁକ୍ତ ଆନନ୍ଦ ସୁବ୍ରମଣ୍ୟନଙ୍କ ସହ ଚିତ୍ରା ତାଙ୍କର ପୂର୍ବ ସମ୍ପର୍କ ବିଷୟରେ ଜଣାଇବାକୁ ଚାହୁଁନାହାନ୍ତି, ଏପରିକି ତାଙ୍କୁ ଚିହ୍ନିବା ପାଇଁ ମନା କରିଦେଇଛନ୍ତି ବୋଲି ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ। ସେ ତଥାକଥିତ ହିମାଳୟ ଯୋଗୀଙ୍କ ଦ୍ୱାରା ପ୍ରଭାବିତ ହୋଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିଲେ, ଯେଉଁଥିପାଇଁ ଏନ୍‌ଏସ୍‌ଇର ବିପୁଳ କ୍ଷତି ଘଟିଛି। ରବିବାର ଚିତ୍ରାଙ୍କୁ ତାଙ୍କ ପୂର୍ବତନ ସହକର୍ମୀ ଆନନ୍ଦ ସୁବ୍ରମଣ୍ୟନ୍‌ଙ୍କ ସହ ମୁହାଁମୁହିଁ ଜେରା କରାଯାଇଥିଲା।

Share