ବିଜେଡିରେ ମିଶିଲେ ଚିରଞ୍ଜୀବ

ଭୁବନେଶ୍ୱର,୩୧ା୩: କଂଗ୍ରେସର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ରବିବାର ବିଜେଡିରେ ସାମିଲ ହୋଇଛନ୍ତି। ଆଜି ଶଙ୍ଖଭବନରେ ସେ ନିଜ ସମର୍ଥକଙ୍କ ସହ ଆସି ବିଜେଡିରେ ମିଶିଛନ୍ତି। ତାଙ୍କୁ ବିଜେଡି ପକ୍ଷରୁ ଭବ୍ୟ ସ୍ବାଗତ କରାଯାଇଥିଲା।

ରାଜ୍ୟ ସଭା ଏମ୍‌ପି ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଚିରଞ୍ଜୀବ ସମର୍ଥକଙ୍କ ସହ ଶଙ୍ଖଭବନକୁ ଆସି ବିଜେଡିରେ ମିଶିଛନ୍ତି। ସେ ବିଜେଡିରେ ସାମିଲ ପରେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋତେ ବିଜେଡିରେ ସାମିଲ କରିଥିବାରୁ କୃତଜ୍ଞତା ଜଣାଉଛି। କିଛି ସ୍ୱାର୍ଥ ନେଇ ମୁଁ ଦଳକୁ ଆସିନାହିଁ। ତାଙ୍କ ବିକାଶମୂଳକ କାମରେ ଆକର୍ଷିତ ହୋଇଛି। ମୁଁ ଜଣେ ଦଳୀୟ କର୍ମୀ ଭାବରେ ଦଳରେ ରହିବି। ଦଳ ଯାହା କାମ ଦେବ, ତାହା କରିବି।

ଗତକାଲି ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ। ୨୦୧୪ରୁ ୨୦୧୯ ଯାଏ ସେ ଜଗତସିଂହପୁରରୁ ବିଧାୟକ ଥିଲେ । ୨୦୦୪ରୁ ୨୦୦୯ ତିର୍ତ୍ତୋଲରୁ ବିଧାୟକ ଥିଲେ। ଚିରଞ୍ଜୀବ ବିଧାନସଭାରେ ବିରୋଧୀ ଦଳ ଉପନେତା ମଧ୍ୟ ଥିଲେ।