Categories: ଜାତୀୟ

ଏଲ୍‌ଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟିଲେ ଚିରାଗ

ନୂଆଦିଲ୍ଲୀ,୧୫।୬: ଲୋକ ଜନଶକ୍ତି ପାର୍ଟି(ଏଲ୍‌ଜେପି)ରେ ଦଳ କନ୍ଦଳ ବଢ଼ିବାରେ ଲାଗିଛି। ମଙ୍ଗଳବାର ଚିରାଗ ପାସଓ୍ବାନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ସୁରଜଭାନଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ସୁରଜଭାନ ଦଳର ନୂଆ ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟାର ପରିଚାଳନା କରିବେ ବୋଲି ଜଣାପଡ଼ିଛି। ନିୟମ ଅନୁଯାୟୀ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ପଦ ଅଧାରରେ ଚିରାଗଙ୍କୁ ଏହି ପଦରୁ ହଟାଇଦିଆଯାଇଥିବା କୁହାଯାଉଛି। ୫ଦିନ ଭିତରେ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡକାଯାଇ ନୂଆ ଅଧ୍ୟକ୍ଷ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ଜୁନ ୨୦ ପୂର୍ବରୁ ଏଲ୍‌ଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ପଶୁପତି କୁମାର ପାରସ ନିର୍ବାଚିତ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାପୂର୍ବରୁ ଚିରାଗଙ୍କୁ ଏଲ୍‌ଜେପିର ସଂସଦୀୟ ଦଳର ନେତା ପଦରୁ ହଟାଇ ଦିଆଯାଇଥିଲା। ତାଙ୍କ ସ୍ଥାନରେ କକା ପଶୁପତି କୁମାରଙ୍କୁ ନୂଆ ସଂସଦୀୟ ଦଳର ନେତା ଭାବେ ନିର୍ବାଚିତ କରାଯାଇଥିଲା। ତେବେ ରାଷ୍ଟ୍ରୀୟ ପଦରୁ ଚିରାଗଙ୍କୁ ହଟାଯିବା ପରେ କକା ଓ ପୁତୁରାଙ୍କୁ ମଧ୍ୟରେ କୌଣସି ବୁଝାମଣାର ସମସ୍ତ ସମ୍ଭାବନା ବନ୍ଦ ହୋଇଯାଇଛି।

Share