ରାସ୍ତା ଉପରେ ଚିପ୍ସ,ବାଲି

ଖଇରା,୨୫।୪(ଡି.ଏନ.ଏ.): ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲାକୁ ସଂଯୋଗ କରୁଥିବା କୁପାରୀ-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତାରେ ଡ୍ରେନ୍‌ ଓ ରାସ୍ତା ତିଆରି ନାମରେ ବର୍ଷ ବର୍ଷ ଧରି ରାସ୍ତା ଉପରେ ଚିପସ୍‌ ଓ ବାଲି ଏବଂ ଡ୍ରେନ ପାଇଁ ଖୋଳା ଯାଇଥିବା ମାଟି ପଡ଼ିରହିଛି। ଫଳରେ ସେହି ରାସ୍ତାଦେଇ ଯାଉଥିବା ଯାତ୍ରୀମାନେ ଛୋଟବଡ଼ ଦୁର୍ଘଟଣାର ଶିକାର ହେଉଛନ୍ତି। ତୁରନ୍ତ ତାହାକୁ ଅପସାରଣ କରା ନ ଗଲେ ସ୍ଥାନୀୟ ବଜାରବାସୀ ଓ ଯାତ୍ରୀମାନେ ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ଉକ୍ତ ରାସ୍ତା ନିର୍ମାଣ ଓ ଡ୍ରେନ୍‌ ପୁନରୁଦ୍ଧାର ପାଇଁ ଆନୁମାନିକ ୧.୫କୋଟି ଟଙ୍କା ପ୍ରଦାନ କରାଯାଇଥିବା ବେଳେ ସରକାରୀ ଗାଇଡ୍‌ଲାନ ଅନୁଯାୟୀ ୧ବର୍ଷ ମଧ୍ୟରେ କାମ ଶେଷ ହେବା କଥା। ହେଲେ ଏତି ମଧ୍ୟରେ ୩ବର୍ଷ ଶେଷ ହେବାକୁ ବସିଥିବା ବେଳେ ଠିକାଦାର ସମୟ ଗଡ଼ାଇ ଚାଲିବା, ଡ୍ରେନ୍‌ ସମ୍ପୂର୍ଣ୍ଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରିବା ବିଭାଗର ସ୍ବଚ୍ଛତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ବ୍ୟତୀତ ବର୍ଷ ବର୍ଷ ଧରି ରାସ୍ତା ଉପରେ କଞ୍ଚାମାଲ ମହଜୁଦ କରି ରଖାଯାଇଥିବାରୁ ଯାତ୍ରୀମାନଙ୍କ ଯାତାୟତରେ ବାଧା ସୃଷ୍ଟି ହେବା ସହ ପ୍ରତ୍ୟେକଦିନ ସନ୍ଧ୍ୟା ହେଲେ ବହୁ ଯାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି। ଶିକ୍ଷକ ଭଗବାନ ନାୟକ ଗୁରୁବାର ସନ୍ଧ୍ୟାରେ ବର୍ତ୍ତନା ବଜାରରୁ ଘରକୁ ଫେରୁଥିବା ବେଳେ ଚିପ୍ସ ନିକଟରେ ଭାରସାମ୍ୟ ହରାଇ ପଡ଼ିଯିବାରୁ ଆହତ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସହକାରୀ ଯନ୍ତ୍ରୀ ହରିଶ ଦ୍ୱାରୀଙ୍କୁ ପଚାରିବାରେ ରାସ୍ତା କଡ଼ରୁ ଗଛ ଉଠାଇବା କାର୍ଯ୍ୟରେ ବିଳମ୍ବ ଯୋଗୁ ଡ୍ରେନ୍‌ ନିର୍ମାଣ କାର୍ଯ୍ୟରେ ସାମାନ୍ୟ ବିଳମ୍ବ ହୋଇଛି। ରାସ୍ତାରୁ କଞ୍ଚାମାଲ ହଟାଇବା ନେଇ ସେ ଠିକାଦାରଙ୍କ ସହ କଥାହେବେ ବୋଲି କହିଛନ୍ତି ା