Odisha Elections 2024
Posted inଫୁରସତ

ସର୍ପ ସହ ରାତିଟିଏ

ସେଦିନ ରାତ୍ରିରେ ଶଯ୍ୟାକୁ ଯିବା ପୂର୍ବରୁ ହଠାତ୍‌ କାହିଁକି ମନେ ପଡ଼ିଗଲା କବିସୂର୍ଯ୍ୟ ବଳଦେବଙ୍କ ”ବାଧିଲା ଜାଣି କ୍ଷମା“ ଜଣାଣରେ ଥିବା କବି ଭାବଧାରାଗୁଡ଼ିକ। ଶ୍ରୀଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରି କବି କହୁଛନ୍ତି ହେ ବଳିୟାର ଭୁଜ! ଆପଣ ହେଉଛନ୍ତି କାଳ ସର୍ପ। ସର୍ପର ଫଣା ଚକ୍ରାକାର। ସେ ଚକ୍ରୀ। ଆପଣ ଚକ୍ର ଧରିଥିବାରୁ ବି ଚକ୍ରୀ। ସର୍ପର କାନ ନାହିଁ। ସେ ଆଖି ବାଟେ ଶୁଣେ । ପ୍ରଭୁ, ଆପଣଙ୍କ କାନ ଦିଓଟି କୋଉଠି ଅଛି ଟିକେ ଦେଖେଇଲେ? ସର୍ପ ପରି ଆପଣଙ୍କ କାନ ନାହିଁ। ଭକ୍ତର ଡାକକୁ ଆପଣ ଚକ୍ଷୁ ଦ୍ୱାରା ଶୁଣନ୍ତି । ତେଣୁ ଆପଣ ଚକ୍ଷୁଶ୍ରବା ।

ସର୍ପ ପରି ଆପଣଙ୍କ ପାଦ ନାହିଁ। ତେଣୁ ଆପଣ ସର୍ପ ସହ ତୁଳନୀୟ। ଆପଣ ସର୍ପ ବୋଲି ଅନ୍ୟ ଏକ ପ୍ରମାଣ ମଧ୍ୟ ଅଛି । ଆମମାନଙ୍କର ଶତ୍ରୁ କିଏ? ମଣିମଷର ଶତ୍ରୁ ହିଁ ମଣିଷ । ଅନ୍ୟ କେହି ନୁହେଁ। କଥାରେ ଅଛି ସ୍ବଜାତି ପରମ ହିଂସ୍ରକ। ସାମ୍ବାଦିକଟିର ଶତ୍ରୁ ସାମ୍ବାଦିକ l ଗୋଡ଼ ଟଣାଟଣିରେ କେହି କାହାକୁ ଆଗକୁ ବାଟ ଛାଡ଼ିବା ପାଇଁ ନମଣାରାଜ । ସାମ୍ବାଦିକଟିଏ ଯେଉଁଠି ଆକ୍ରମଣର ଶିକାର ହେଉଥିବ ସେଠି ଦେଖିବେ ଯେ ଆକ୍ରମଣ ପ୍ରେକ୍ଷାପଟରେ ନିଶ୍ଚିତ ଭାବେ ଅନ୍ୟ କେହି ସାମ୍ବାଦିକର ହାତ ନିଶ୍ଚେ ଥିବ। ସଙ୍ଗୀତଜ୍ଞର ଶତ୍ରୁ ସେଇ ସଙ୍ଗୀତଜ୍ଞ l ଠିକ୍‌ ସେମିତି ସାପର ଶତ୍ରୁ ମଧ୍ୟ ସେଇ ସାପ। ଆପଣ କାଳୀୟ ନାଗ ସହ ଦ୍ରୋହ କରିଥିଲେ। ସାପ ନ ହୋଇଥିଲେ ଆପଣ କ’ଣ ଗୋଟିଏ ସାପ ସହ ଦ୍ରୋହ କରିଥାନ୍ତେ ପ୍ରଭୁ?
କବିଙ୍କ ଭାଷାରେ –

ଯେବେ ଭୁଜଙ୍ଗ ନୁହଁ କାଳୀୟଠାରେ ଦ୍ରୋହ
କଲ କାହିଁକି ଏଡ଼େ କରି
କେତେ ନ ଥିଲେ ଗୋପେ ତୁମ୍ଭେ କାହିଁକି କୋପେ
ତାହାକୁ ଦେଲ ପ୍ରାଣେ ମାରି ।
ହେ କୃପାନିଧି!
ତାହାରି ନାମେ ତୁମ୍ଭ ନାମ
ଅଦ୍ୟପି ହୋଇଛି ଜନମ
ଯେବେ ସ୍ବଗୋତ୍ର ଦ୍ରୋହ ନ ଥାନ୍ତା ନାଥ କହ
କିମ୍ପା ହୁଅନ୍ତା ଏ କ୍ରମ ହେ।

ଏ ପଦଟିକୁ ଟିକେ ଗୁଣୁଗୁଣୁ ହୋଇ ଗାଇ ଦେଉ ଦେଉ ହଠାତ୍‌ କାହିଁକି ଏକ ଅଜବ ଖିଆଲ ମନ ଭିତରକୁ ଧସେଇ ପଶି ଆସିଲା । ମନ କହିଲା – ପ୍ରଭୁ! ଆପଣ ଯଦି ପ୍ରକୃତରେ ସର୍ପ, ତେବେ ମୋତେ ସର୍ପ ରୂପରେ ଟିକେ ଦର୍ଶନ ଦିଅନ୍ତେ ନାହିଁ?
ପର ମୁହୂର୍ତ୍ତରେ ମୁଁ ଚମକି ଉଠିଲି । ଆରେ ଆରେ ପ୍ରଭୁଙ୍କୁ ଏ କ’ଣ ମାଗୁଛି ମୁଁ । ସାମାନ୍ୟ ମାଟି ବିରାଡ଼ିଆ ବା କାଣ୍ଡନଳ ସାପ ପ୍ରତି ଯାହାର ଭୟ ସେ ପୁଣି ପ୍ରଭୁଙ୍କୁ ସର୍ପ ରୂପରେ ଦର୍ଶନ କରିବାକୁ ଚାହୁଁଚି!

ଏ ପ୍ରସଙ୍ଗରୁ ବାହାରି ମନ ଚାଲିଲା ଅନ୍ୟ ଆଡ଼େ । ଥାକ ଉପରେ ରଖା ଯାଇଥିବା ‘ ଅଭିରାମ ଲୀଳାମୃତ’ ବହି ଦୁଇ ଖଣ୍ଡ ଉପରେ ଆଖି ପଡ଼ିଗଲା। ଆଶ୍ରମରୁ ସେଇଦିନ ବହି ଦୁଇଟି କିଣି ଆଣିଥିଲି l ନୂଆ ବହି ଖଣ୍ଡେ କିଣିଲା ପରେ ତାକୁ ପଢ଼ି ନ ସାରିବା ପର୍ଯ୍ୟନ୍ତ ଭଲ ଲାଗେ ନାହିଁ । ରାତ୍ରି ଶୟନ ପୂର୍ବରୁ ଆଧ୍ୟାତ୍ମିକ ପୁସ୍ତକଟିଏ ପଢ଼ି ପ୍ରସଙ୍ଗ ବାବଦରେ ଟିକେ ମନନ ନ କଲେ ମୋତେ କାହିଁକି ନିଦ ହୁଏନା। ବହିଟିକୁ ଥାକରୁ ଆଣି ଖଟରେ ପଡ଼ିଥିବା ଦୁଇ ତକିଆର ମଧ୍ୟ ସ୍ଥଳରେ ବହିର ମଝିକୁ ରଖି ଦୁଇ ଫାଳକୁ ଦୁଇ ତକିଆ ଉପରେ ରଖି ପଢ଼ିବାକୁ ଆରମ୍ଭ କରିଛି ତ ବହିଟି ହଠାତ୍‌ ଥରିଉଠିଲା । ଗୋଟିଏ ଫାଳ ଅନ୍ୟ ଉପରେ ଲୋଟିପଡ଼ିଲା । ପୁଣି ବହି ଖୋଲି ପଢ଼ିବା ପାଇଁ ଉଦ୍ୟତ ହେଲି । ଦୁଇ ତିନି ସେକେଣ୍ଡ୍‌ ପରେ ସେଇ ଅବସ୍ଥା। ଏମିତି ଚାରି ପାଞ୍ଚ ଥର ହେବାରୁ ବିରକ୍ତିରେ ପଢ଼ା ବନ୍ଦ କରି ବହିଟିକୁ ଅନ୍ୟ ତକିଆ ଉପରେ ରଖି ଜଗନ୍ନାଥଙ୍କୁ ସର୍ପ ସହ ତୁଳନା କରିବାର ପ୍ରସଙ୍ଗକୁ ପୁନଶ୍ଚ ମନନ କରି ଶୋଇପଡ଼ିଲି l ରାତି ଦଶ ଭିତରେ ମୁଁ ପ୍ରାୟ ଶୋଇପଡ଼େ ।

ରାତ୍ରି ପାହିଲା । ସକାଳୁ ଉଠି ଖଟରେ ପଡ଼ିଥିବା ବେଡ଼ଶିଟ୍‌କୁ ଟେକି ଦେବା ବେଳକୁ ଦୁଇ ତକିଆ ସନ୍ଧିରେ ଯାହା ଦେଖିଲି ସେଥିରେ ମୋ ହାଲୁକ ଶୁଖିଗଲା l ଦେଢ଼ ଫୁଟ୍‌ ଲମ୍ବର ମୋଟା ସର୍ପ ଟିଏ । ଦୁଇ ତକିଆର ସନ୍ଧିରେ ନିଜକୁ ନିଜେ ଗୁଡ଼େଇ ହୋଇ ଶୋଇଛି । କଳା ମଚ ମଚ ରଙ୍ଗ । ମଝିରେ ମଝିରେ ମୁହଁ ଟେକି ଚାହୁଁଚି। ସାପକୁ ଦେଖି ବୋଉ ମୋର କହି ଉଠିଲା – ରାତିସାରା ସାପଟି ତୋ ଖଟ ଉପରେ ତକିଆ ସନ୍ଧିରେ ରହିଲା ।
ତୋର କିଛି କ୍ଷତି କରିନି । ତୋତେ ଜଗନ୍ନାଥ ସାହା ହୋଇଛନ୍ତି ।

ବୋଉ କଥା ଶୁଣି ମୁଁ ପୂର୍ବ ରାତିରେ ଜଗନ୍ନାଥଙ୍କୁ ସର୍ପ ରୂପରେ ଦର୍ଶନ କରିବା ପାଇଁ ଇଚ୍ଛା ପ୍ରକାଶ କରୁଥିବା କଥାଟି ମନକୁ ପଳେଇ ଆସିଲା । କୃତାର୍ଥ ହେଲି ପ୍ରଭୁ କହି ସର୍ପଟିକୁ ମୁଣ୍ଡ ନୁଆଇଁ ଦଣ୍ଡବତ କଲି । ପରେ ମୋ କକେଇ ଏବଂ ଅନ୍ୟମାନେ ଆସି ସର୍ପଟିକୁ ବାହାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡ଼ିବାର ବ୍ୟବସ୍ଥା କଲେ । ଆଶ୍ଚର୍ଯ୍ୟ କଥା ହେଉଛି ସର୍ପଟି ଖୁବ୍‌ ଧୀର ସ୍ଥିର ଥାଏ । କାତି ଛାଡି ନ ଥିବା ସର୍ପମାନଙ୍କର ଗତି ସାଧାରଣତଃ ଶିଥିଳ ଥାଏ କିନ୍ତୁ ଉକ୍ତ ସର୍ପଟିର ସେପରି କିଛି ପରିସ୍ଥିତି ନ ଥିଲା । ଠିକ୍‌ ଭାବେ ଚାଲି ପାରୁ ନ ଥିବା ସର୍ପ ଟିଏ କେମିତି ଆମ ଅଗଣା ଏବଂ ବାରଣ୍ଡା ଅତିକ୍ରମ କରି ପୁଣି ଖଟ ଗୋଡ଼ ସାହାଯ୍ୟରେ ଖଟ ଉପରକୁ ଉଠି ପାରିଲା ତାହା ଆଜି ପର୍ଯ୍ୟନ୍ତ ବି ମୋତେ ଆଶ୍ଚର୍ଯ୍ୟ ଚକିତ କରୁଛି । ଖଟ ତଳେ କିଛି ବି ଅନାବନା ଜିନିଷ ନ ଥାଏ । ଘର ଭିତର ବି ଖୁବ୍‌ ପରିଷ୍କାର ପରିଚ୍ଛନ୍ନ। ପ୍ରତିଦିନ ସକାଳେ ପୋଛା ହୁଏ । ସର୍ପଟି ପୂର୍ବ କିଛି ଦିନ ଆଗରୁ ଆସି ମୋ ଅଜାଣତରେ ଯେ ଘରେ ରହିଯାଇଥିବ ତା ବି ନୁହେଁ । ମୋ ଶଯ୍ୟା ପ୍ରତିଦିନ ଝଡ଼ାଝଡ଼ି ହୋଇ ରୁହେ । ସାରା ରାତି ସର୍ପଟି ମୋ ତକିଆ ତଳେ ରହିଲା । ନିଦରେ କଡ଼ ଲେଉଟାଇବା ବେଳେ ମୋ ହାତ ବା ମୁହଁ ନିଶ୍ଚେ ତା ଉପରେ ପଡିଯାଇଥିବ । କିନ୍ତୁ ସର୍ପଟି ମୋର କିଛି ବି କ୍ଷତି କରିନି ।

ତେବେ ସେ କ’ଣ ସେଇ ଜଗନ୍ନାଥ ନୁହନ୍ତି ତ!
ନିଶ୍ଚୟ ହୋଇଥିବେ। ସେ ତ ସକଳ ଘଟରେ ଅଛନ୍ତି । ଭାବର କଥା ଶୁଣୁଥିବାରୁ ସେ ଭାବଗ୍ରାହୀ । ଅନ୍ତର କଥା ଜାଣୁଥିବାରୁ ତାଙ୍କ ନାମ ଅନ୍ତର୍ଯ୍ୟାମୀ। ଭକ୍ତର ଭାବ ଅନୁଯାୟୀ କେତେବେଳେ ଯେ ସେ କୋଉ ରୂପ ନେଇ ତା’ ପାଖରେ ପହଞ୍ଚତ୍ ଯାଆନ୍ତି, ସେକଥା ସେ ହିଁ ଜାଣନ୍ତି । ସର୍ପକୁ ମୋର ଭୟ ଅଛି ବୋଲି ଜାଣି ସେ ମୋତେ ରାତିସାରା ଦେଖା ଦେଇ ନାହାନ୍ତି । ସକାଳୁ ବ୍ରାହ୍ମ ମୁହୂର୍ତ୍ତରେ ଯାହା ଦେଖାଦେଲେ । ହେ ପ୍ରଭୁ! ଏ ଅଧମ ଅଧୀନ ଉପରେ ଏମିତି ଜନ୍ମ ଜନ୍ମାନ୍ତରରେ କୃପା ରଖିଥିବ ପ୍ରଭୁ । ମୋତେ ଏତିକି କଲ୍ୟାଣ କରିବ ହେ ବିକଚ ପଦ୍ମ ନେତ୍ର! ତୁମର ଜୟ ହେଉ… ମୋ ମଣିମାଙ୍କର ଜୟ ହେଉ ।

-ପ୍ରିନ୍ସିିପାଲ, ଆପେକ୍ସ ଆଇଟି୍‌ଆଇ,
ପତ୍ରକଣା, କସର୍ଦା, କଟକ
ମୋ:୯୪୩୭୨୯୨୬୯୯


Enter your email to get our daily news in your inbox.

All Right Reserved By Dharitri.Com

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ଶିର୍ଲି

ସିଙ୍ଗାପୁର: ସିଙ୍ଗାପୁରର ଶିର୍ଲି ଲିଙ୍ଗ୍‌ ନାମ୍ନୀ ଜଣେ ମହିଳା ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ମାତ୍ର ୩୪ ବର୍ଷ ବୟସରେ ଜେଜେ ମା’ ହୋଇଛନ୍ତି। ତାଙ୍କର ୧୭...

ବିଶ୍ୱର ସବୁଠୁ ଛୋଟ ମହିଳାଙ୍କୁ ଭେଟିଲେ ‘ଦ ଗ୍ରେଟ୍‌ ଖଲି’: ପରେ ଘଟିଲା….ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୫: ଦେଶର ଜଣେ ଜଣାଶୁଣା କୁସ୍ତି ଖେଳାଳି ‘ଦ ଗ୍ରେଟ୍‌ ଖଲି’ କିଏ ବା ନ ଜାଣେ ନାହିଁ। ସେ ଅନେକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଜିତିଛନ୍ତି।...

ନିରାପଦ ଏଚ୍‌ଆଇଭି ଟିକା ପାଇଁ ମିଳିତ ଉଦ୍ୟମ ଦରକାର

ସମଗ୍ର ବିଶ୍ୱରେ ଚିନ୍ତାର କାରଣ ସାଜିଥିବା ତଥା ଅନ୍ୟତମ ପ୍ରମୁଖ ରୋଗ ମଧ୍ୟରେ ଏଡ୍‌ସ (ଆକ୍ୟୁଆଡ ଇମ୍ୟୁନ ଡେଫିସିଏନ୍‌ସି ସଣ୍ଡ୍ରୋମ) ଅନ୍ୟତମ। ଏହାର ଏ ପର୍ଯ୍ୟନ୍ତ...

ବଟର ଚିକେନ୍‌ ଉଦ୍ଭାବକ କିଏ

ନୂଆଦିଲ୍ଲୀ,୧୮ା୫: ବଟର ଚିକେନ୍‌ ହେଉଛି ତନ୍ଦୁରରେ ରନ୍ଧାଯାଉଥିବା ଚିକେନ୍‌ ପିସ୍‌ଗୁଡ଼ିକୁ ଟମାଟୋ, କ୍ରିମ୍‌ ଓ ବଟର ସହ ମିଶ୍ରଣ କରି ପ୍ରସ୍ତୁତ କରାଯାଉଥିବା ଏକ ବ୍ୟଞ୍ଜନ।...

ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ଏକ ବଡ଼ କଥା କହିଲେ ଭଉଣୀ ପ୍ରିୟଙ୍କା, ଜାଣିଲେ…

ନୂଆଦିଲ୍ଲୀ,୧୭ା୫: ଲୋକ ସଭା ନିର୍ବାଚନରେ କଂଗ୍ରେସ ପ୍ରଚାରରେ ବ୍ୟସ୍ତ ଥିବା ପ୍ରିୟଙ୍କା ଗାନ୍ଧୀ ଭାଇ ରାହୁଲ ଗାନ୍ଧୀଙ୍କ ବିବାହ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।...

ଜାଣନ୍ତୁ କେଉଁ ରାଜନେତା କେତେ ପଢ଼ିଛନ୍ତି, କାହାର ଶିକ୍ଷାଗତ ଯୋଗ୍ୟତା ଅଧିକ, କାହାର କମ୍‌

ଆମର ଅନେକ ରାଜନେତା ଅଛନ୍ତି, ଯେଉଁମାନଙ୍କ ହାତରେ ଆମ ଦେଶ ଏବଂ ରାଜ୍ୟ ପରିଚାଳିତ ହେଉଛି। ତେବେ ଏମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଅଧିକାଂଶ ଲୋକ...

୩୪ ବର୍ଷ ବୟସରେ ଜେଜେ ମା’ ହେଲେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର

ସିଙ୍ଗାପୁର:ସମ୍ପ୍ରତି ଯୁବପିଢ଼ି ନିଜ କ୍ୟାରିୟରକୁ ଦୃଷ୍ଟିରେ ରଖି ବିଳମ୍ବରେ ବିବାହ କରିବା ସହ ବିଳମ୍ବରେ ପରିବାର ଆରମ୍ଭ କରିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସିଙ୍ଗାପୁରର ଶିର୍ଲି...

ଆଜି ଜାତୀୟ ଡେଙ୍ଗୁ ଦିବସ

ଆମେ ସମ୍ମୁଖୀନ ହେଉଥିବା ସ୍ବାସ୍ଥ୍ୟ ସମସ୍ୟାଗୁଡ଼ିକ ମଧ୍ୟରେ ଡେଙ୍ଗୁ ଅନ୍ୟତମ। ଏଡିସ୍‌ ମଶା ହେଉଛି ଏହାର ବାହକ। ପ୍ରାରମ୍ଭରୁ ଡେଙ୍ଗୁର ଚିକିତ୍ସା କରା ନ ଗଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri