ଚାଇନା ବିଶେଷଜ୍ଞଙ୍କ ଦାବି: କରୋନା ଭାଇରସ ମାନବ ନିର୍ମିତ

ୱାଶିଂଟନ,୧୨ ।୯: କରୋନା ଭାଇରସକୁ ନେଇ ଲଗାତାର ଭାବେ ଚାଇନା ଉପରେ ପ୍ରଶ୍ନ ଉଠୁଛି । ଆମେରିକାଠାରୁ ଆରମ୍ଭ କରି ୟୁରୋପ ପର୍ଯ୍ୟନ୍ତ କରୋନା ମହାମାରୀ ପାଇଁ ଚାଇନାକୁ ଦାୟି କରୁଛନ୍ତି । ଇତିମଧ୍ୟରେ ଚାଇନାର ଜଣେ ମହିଳା ଭାଇରୋଲୋଜିଷ୍ଟ କରୋନା ଭାଇରସ ଚାଇନା ଦ୍ୱାରା ମାନବ ନିର୍ମିତ ବୋଲି ଦାବି କରିଛନ୍ତି । ତେବେ ଉକ୍ତ ମହିଳା ଭାଇରୋଲୋଜିଷ୍ଟ ଜଣକ ଚାଇନା ସରକାରଙ୍କଠାରୁ ଧମକ ପାଇବା ପରେ ଏବେ ଆମେରିକାରେ ରହୁଛନ୍ତି । ଭାଇରୋଲୋଜିଷ୍ଟ ଲି ମେଙ୍ଗ ୟାନ କହିଛନ୍ତି କରୋନା ଭାଇରସକୁ ମାନବ ନିର୍ମିତ ବୋଲି ପ୍ରମାଣ କରିବାକୁ ତାଙ୍କ ନିକଟରେ ପର୍ଯ୍ୟାପ୍ତ ପ୍ରମାଣ ରହିଛି ଯାହାକୁ ସେ ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣିବେ । ସେ ଆହୁରି ମଧ୍ୟ କରିଛନ୍ତି ଚାଇନା କରୋନା ଭାଇରସକୁ ନେଇ ବହୁତ କଥା ଲୁଚାଉଛି ହେଲେ ଏହା ମାନବ ନିର୍ମିତ ବୋଲି ସେ ପ୍ରମାଣ କରିବେ । ସେ କହିଛନ୍ତି ଏହା ମାଂସ ମାର୍କେଟରୁ ଆସିନାହିଁ ବରଂ ଉହାନ ଲ୍ୟାବରେ ଏହାକୁ ବିକଶିତ କରାଯାଇଛି । ଏହି କରୋନା ଭାଇରସର ଜିନୋମ ଅନୁକ୍ରମ ମାନବ ଫିଙ୍ଗର ପ୍ରିଣ୍ଟ ଭଳି । ଏଣୁ ଏହି ଆଧାରରେ ସେ ପ୍ରମାଣ କରିବେ ଯେ କରୋନା ଭାଇରସ ମାନବ ନିର୍ମିତ । ଜଣେ ବ୍ୟକ୍ତିଙ୍କ ପାଖରେ ଜୀବ ବିଜ୍ଞାନ ସମ୍ପର୍କିତ ଜ୍ଞାନ ନ ଥିଲେ ମଧ୍ୟ ସେ କରୋନା ଭାଇରସର ଆକାର ଓ ଉତ୍ପତିକୁ ଦେଖି ସହଜରେ ଚିହ୍ନି ପାରିବେ । ପ୍ରଥମେ ଏହି ଭାଇରସ ପ୍ରସ୍ତୁତିରେ ନିୟୋଜିତ ଥିବା ବିଶେଷଜ୍ଞଙ୍କ ମଧ୍ୟରେ ଲି ଜଣେ ବୋଲି କହିଛନ୍ତି । ତେବେ ଚାଇନା ସରକାରଙ୍କ ପକ୍ଷରୁ ତାଙ୍କୁ ଧମକ ମିଳିବା ପରେ ସେ ଚାଇନା ଛାଡି ଆମେରିକାରେ ରହୁଛନ୍ତି । ଆଉ ଚାଇନାରେ ଥିବା ତାଙ୍କର ସମସ୍ତ ଗବେଷଣାର ତଥ୍ୟକୁ ନଷ୍ଟ କରି ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏବେ ଚାଇନା ତାଙ୍କ ସାଥିଙ୍କ ଦ୍ୱାରା ଲିଙ୍କ ନାଁରେ ଭୁଲ କଥା ପ୍ରଚାର କରିବାକୁ ଚେଷ୍ଟା କରୁଛି । ଏମିତିକି ଚାଇନା ସରକାର ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ହେଲେ କରୋନା ଭାଇରସ ଯେ ମାନବ ନିର୍ମିତ ଏହା ସେ ପ୍ରମାଣ କରି ଦେଖାଇବେ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Share