ହମ୍ବନଟୋଟାରେ ଚାଇନା ଜାହାଜ

କଲମ୍ବୋ, ୧୭ା୮: ଭାରତ ପକ୍ଷରୁ ବାରମ୍ବାର ତାଗିଦ୍‌ ଏବଂ ବିରୋଧ ସତ୍ତ୍ୱେ ଶ୍ରୀଲଙ୍କାର ହମ୍ବନଟୋଟା ବନ୍ଦରରେ ଚାଇନା ମିଲିଟାରୀ ସର୍ଭେ ଜାହାଜ ୟୁଆନ୍‌ ଓ୍ବାଙ୍ଗ୍‌-୫ ମଙ୍ଗଳବାର ମୁତୟନ ହୋଇଛି। ପୂର୍ବରୁ ନୂଆଦିଲ୍ଲୀ ପକ୍ଷରୁ ଚାପ ପକାଯିବା ପରେ ଶ୍ରୀଲଙ୍କା ଏହି ଜାହାଜ ହମ୍ବନଟୋଟା ବଦଳରେ ଅନ୍ୟ କେଉଁଠି ମୁତୟନ କରିବା ପାଇଁ ଚାଇନାକୁ କହିଥିଲା। କିନ୍ତୁ ଏହାର କିଛିଦିନ ପରେ ବେଜିଂ ନିଜ ଗୋଇନ୍ଦା ଜାହାଜକୁ ଶ୍ରୀଲଙ୍କାରେ ନିୟୋଜିତ କରିଛି। ମହାକାଶୀୟ ବସ୍ତୁ ତଥା ସାଟେଲାଇଟ୍‌କୁ ଟ୍ରାକ୍‌ କରିବା ଉଦ୍ଦେଶ୍ୟରେ ଚାଇନା ଏହି ହାଇ-ଟେକ୍‌ ଜାହାଜକୁ ସେଠାରେ ନିୟୋଜିତ କରିଥିବା କହୁଥିଲେ ହେଁ ବାସ୍ତବରେ ବେଜିଂ ରଣନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉକ୍ତ ବନ୍ଦରକୁ କବ୍‌ଜା କରିବା ଉଦ୍ଦେଶ୍ୟ ରଖିଥିବା କୁହାଯାଉଛି। ଏସିଆ-ୟୁରୋପର ପ୍ରମୁଖ ପରିବହନ ପଥ ନିକଟରେ ଚାଇନା ନିଜର ସାମରିକ ଘାଟି ନିର୍ମାଣ କରିପାରେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି।
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଉଭୟ ଭାରତ ଓ ଚାଇନା ପଟୁ ସହାୟତା ଚାହୁଁଛି। ପ୍ରଥମେ ଶ୍ରୀଲଙ୍କା ଅଗଷ୍ଟ ୧୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଉକ୍ତ ଜାହାଜକୁ ମୁତୟନ ନିମନ୍ତେ ଅନୁମତି ଦେଇଥିଲା। ଭାରତ ବିରୋଧ କରିବା ପରେ ଶ୍ରୀଲଙ୍କା ତାହାକୁ ସ୍ଥଗିତ ରଖିଥିଲା। ଏବେ ତାହା ୨୨ ତାରିଖ ପର୍ଯ୍ୟନ୍ତ ହମ୍ବନଟୋଟାରେ ରହିବ ବୋଲି ଜଣାପଡ଼ିଛି। ଏହି ଜାହାଜ ଦ୍ୱାରା ଅନ୍ୟ କୌଣସି ଦେଶର କ୍ଷତିସାଧନ ହେବ ନାହିଁ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଓ୍ବାଙ୍ଗ୍‌ ଓ୍ବେନ୍‌ବିନ୍‌ କହିଛନ୍ତି। ପିପୁଲ୍ସ ଲିବରେଶନ ଆର୍ମି(ପିଏଲ୍‌ଏ)ର ଏହା ଏକ ରଣନୈତିକ ଚାଲ୍‌ ବୋଲି ପେଣ୍ଟାଗନ୍‌ ପକ୍ଷରୁ କୁହାଯାଇଛି।

Share