ବେଜିଂ, ୧୨ା୧୧: ବ୍ରହ୍ମାଣ୍ଡର ପ୍ରାକୃତିକ ପୃଷ୍ଠଭୂମି ତାପମାତ୍ରା ପ୍ରାୟ ୨.୭ କେଲଭିନ (-୨୭୦.୪୫ ଡିଗ୍ରୀ ସେଲ୍ସିୟସ୍) ଥିବାବେଳେ, ଚାଇନାର ମହାକାଶ ଗବେଷକମାନେ ଏହା ତୁଳନାରେ ପ୍ରାୟ ୨୮୦ ବିଲିୟନ (୨୮,୦୦୦ କୋଟି) ଗୁଣ ଅଧିକ ଶୀତଳ ତାପମାତ୍ରା ସୃଷ୍ଟି କରି ବିଜ୍ଞାନ ଜଗତରେ ଏକ ନୂତନ ରେକର୍ଡ ସୃଷ୍ଟି କରିଛନ୍ତି। ମହାକାଶସ୍ଥିତ ଚାଇନାର ‘ତିଆଙ୍ଗୋଙ୍ଗ’ ସ୍ପେସ୍ ଷ୍ଟେଶନରେ କରାଯାଇଥିବା ଏହି ପରୀକ୍ଷାରେ ବୈଜ୍ଞାନିକମାନେ ୯.୭ ପିକୋକେଲ୍ଭିନ (pK) ବା ୦.୦୦୦୦୦୦୦୦୦୦୦୯୭ କେଲ୍ଭିନ ତାପମାତ୍ରା ହାସଲ କରିଛନ୍ତି, ଯାହାକି ମାନବ ଇତିହାସରେ ଏଯାଏ ମପାଯାଇଥିବା ସର୍ୱନିମ୍ନ ତାପମାତ୍ରା। ପ୍ରତିଷ୍ଠିତ ବିଜ୍ଞାନ ପତ୍ରିକା ‘ସାଇନ୍ସ’ରେ ଏହି ଗବେଷଣା ପ୍ରକାଶ ପାଇଛି।
ଏହି ଅଭୂତପୂର୍ୱ ପରୀକ୍ଷାରେ ପଦାର୍ଥର ପଞ୍ଚମ ଅବସ୍ଥା ଭାବେ ପରିଚିତ ‘ବୋଷ-ଆଇନଷ୍ଟାଇନ କଣ୍ଡେନସେଟ’ (ବିଇସି) ସୃଷ୍ଟି କରାଯାଇଥିଲା, ଯେଉଁଥିରେ ପରମାଣୁଗୁଡ଼ିକୁ ପରମ ଶୂନ୍ୟ ତାପମାତ୍ରା ନିକଟକୁ ଥଣ୍ଡା କରାଯିବା ଦ୍ୱାରା ସେଗୁଡ଼ିକ ଏକକ କ୍ୱାଣ୍ଟମ ତରଙ୍ଗ ଭାବେ କାର୍ଯ୍ୟ କରିଥାନ୍ତି। ପେକିଂ ବିଶ୍ୱବିଦ୍ୟାଳୟ ଏବଂ ଚାଇନିଜ ଏକାଡେମୀ ଅଫ୍ ସାଇନ୍ସେସ୍ର ଗବେଷକମାନେ (କ୍ଷୋଜି ଝୋଉ, ଜୁଜୋଙ୍ଗ ଚେନ ଏବଂ ୱେବିଆଓ ଚେନ) ଏଥିପାଇଁ ରୁବିଡିୟମ-୮୭ର ୨୦,୦୦୦ ପରମାଣୁ ବ୍ୟବହାର କରିଥିଲେ। ପୃଥିବୀ ପୃଷ୍ଠରେ ମାଧ୍ୟାକର୍ଷଣ ଶକ୍ତି ଯୋଗୁ ଅତିଶୀତଳ ପରମାଣୁଗୁଡ଼ିକୁ ସ୍ଥିର ରଖିବା କଷ୍ଟକର ହେଉଥିବାରୁ ଗବେଷକମାନେ ମହାକାଶର ମାଇକ୍ରୋଗ୍ରାଭିଟି ପରିବେଶକୁ ବାଛିଥିଲେ। ମହାକାଶରେ ପ୍ରାକୃତିକ ମାଧ୍ୟାକର୍ଷଣର ଅଭାବକୁ ଦୂରକରିବା ପାଇଁ ଅତିଶକ୍ତିଶାଳୀ ଚୁମ୍ୱକୀୟ କ୍ଷେତ୍ର ପ୍ରୟୋଗ କରାଯିବା ସହ ଲେଜର ଟ୍ରାପ୍ ଏବଂ ବାଷ୍ପୀଭୂତ ଶୀତଳୀକରଣ ପ୍ରଣାଳୀ ଦ୍ୱାରା ପରମାଣୁଗୁଡ଼ିକୁ ଅତି ନିମ୍ନ ତାପମାତ୍ରାକୁ ଅଣାଯାଇଥିଲା ଏବଂ ଏହି ସମ୍ପ୍ରସାରିତ ପରମାଣୁ ପୁଞ୍ଜକୁ ବୈଜ୍ଞାନିକମାନେ ୭ ସେକେଣ୍ଡ ପର୍ଯ୍ୟନ୍ତ ନିରୀକ୍ଷଣ କରିବାରେ ସଫଳ ହୋଇଥିଲେ।
ଏହି ଅଭୂତପୂର୍ୱ ସଫଳତା କେବଳ ଏକ ତାପମାତ୍ରା ରେକର୍ଡ ନୁହେଁ, ବରଂ ଏହା ଭବିଷ୍ୟତର ମହାକାଶ ଅନୁସନ୍ଧାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାଧିତ ହେବ; ଯେଉଁଥିରେ ପରମାଣୁର ତରଙ୍ଗ ପ୍ରକୃତିକୁ ବ୍ୟବହାରକରି ପରିବେଶରେ ଘଟୁଥିବା ଅତିସୂକ୍ଷ୍ମ ପରିବର୍ତ୍ତନଗୁଡ଼ିକୁ ମାପ କରିବା ପାଇଁ ଆଟମ ଇଣ୍ଟରଫେରୋମେଟ୍ରିର ସହାୟତା ନିଆଯିବ। ମାଧ୍ୟାକର୍ଷଣର ସମାନତା ନୀତି ଏବଂ ବ୍ରହ୍ମାଣ୍ଡର ମୌଳିକ ନିୟମଗୁଡ଼ିକୁ ଅଧିକ ସଠିକତା ସହ ପରୀକ୍ଷା କରିବାକୁ ମୌଳିକ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏହା ପ୍ରୟୋଗ ହେବ ଏବଂ ପୃଥିବୀର ପରୀକ୍ଷାଗାରରେ ସହଜରେ ଅଧ୍ୟୟନ କରାଯାଇପାରୁ ନ ଥିବା ବିଭିନ୍ନ ଅଦ୍ଭୁତ କ୍ୱାଣ୍ଟମ୍ ଅବସ୍ଥା ଏବଂ ପଦାର୍ଥର ଗଠନକୁ ମହାକାଶରେ ସହଜରେ ବୁଝିବା ପାଇଁ କ୍ୱାଣ୍ଟମ୍ ସିମୁଲେଶନ କାର୍ଯ୍ୟକାରୀ କରାଯିବ।