Categories: ଜାତୀୟ

ଆତଙ୍କବାଦୀ ଶିବିରରୁ ଚାଇନା ପିସ୍ତଲ ଜବତ

ଶ୍ରୀନଗର, ୨୩।୧: ଜମ୍ମୁ-କଶ୍ମୀରର ପୁଞ୍ଚ୍‌ ଜିଲାରେ ଥିବା ଏକ ଆତଙ୍କବାଦୀ ଶିବିରକୁ ବିଏସ୍‌ଏଫ୍‌ ଏବଂ ସେନାର ମିଳିତ ଅପରେଶନରେ ଧ୍ୱଂସ ହୋଇଛି। ଏଠାରୁ ବିପୁଳ ପରିମାଣର ଗୋଳା ବାରୁଦ ଜବତ କରାଯାଇଛି। ଏହା ସହିତ ଗୋଟିଏ ଏକେ-୪୭ ଏବଂ ଏହାର ମାଗାଜିନ୍‌, ୮୨ ଜୀବନ୍ତ ଗୁଳି, ଚାଇନା ତିଆରି ୩ଟିି ପିସ୍ତଲ ଏବଂ ଏହାର ୫ ମାଗାଜିନ୍‌, ୪ଟି ଗ୍ରେନେଡ୍‌, ଗୋଟିଏ ୟୁଜିବିଏଲ୍‌ ସହିତ କେତେକ ଆପତ୍ତିଜନକ ସାମଗ୍ରୀ ଆଦି ଜବତ ହୋଇଛି। ଗୁପ୍ତ ସୂଚନା ଆଧାରରେ ଏଠାରେ ବିଏସ୍‌ଏଫ୍‌ ଏବଂ ସେନା ପକ୍ଷରୁ ମିଳିତ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଥିଲା। ଖବର ପାଇ ଆତଙ୍କବାଦୀମାନେ ସେଠାରୁ ଖସି ପଳାଇଥିବା କୁହାଯାଉଛି। ଆତଙ୍କବାଦୀଙ୍କୁ ପାକିସ୍ତାନ ଏବଂ ଚାଇନା ପକ୍ଷରୁ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯାଉଥିବା ନେଇ ଭାରତୀୟ ସେନା ବାରମ୍ବାର ଅଭିଯୋଗ କରିଆସୁଛି। ତେବେ ପାକିସ୍ତାନ ଏବଂ ଚାଇନା ଭାରତରେ ଆତଙ୍କବାଦୀ କାର୍ଯ୍ୟ କଳାପ ବୃଦ୍ଧି ଲାଗି ଏଭଳି ଷଡ଼ଯନ୍ତ୍ର ଜାଣିଶୁଣି ଜାରି ରଖିଛନ୍ତି।

Share