ଏହି ଭାରତୀୟଙ୍କୁ ଭଗବାନ ପରି ମାନେ ଚାଇନା, ଜାଣନ୍ତୁ କାହିଁକି

ଭାରତ ଏବଂ ଚାଇନା ମଧ୍ୟରେ ବର୍ତ୍ତମାନ ସୀମା ବିବାଦ ଲାଗିରହିଛି। ତେବେ ଏମିତି ଏକ ସମୟ ଥିଲା ଯେତେବେଳେ ଚାଇନାବାସୀ ଭାରତୀୟମାନଙ୍କୁ ବହୁତ ସମ୍ମାନ କରୁଥିଲେ। ଭଗବାନଙ୍କ ପରି ହେବାକୁ ବିଶ୍ୱାସ କରୁଥିଲେ। ଏହାର ମୁଖ୍ୟ କାରଣ ଥିଲା ଡ. ଦ୍ୱାରିକାନାଥ କୋଟନିସ୍‌। ଯାହାଙ୍କ ଚିକିତ୍ସା ହେତୁ ହଜାର ହଜାର ଚାଇନା ସୈନିକ ଏବଂ ସାଧାରଣ ନାଗରିକଙ୍କ ଜୀବନ ରକ୍ଷା ହୋଇଥିଲା।

ଚାଇନାରେ ଯୁଦ୍ଧ ସମୟରେ ସୈନିକ ଏବଂ ଆହତ ଲୋକଙ୍କୁ ଚିକିତ୍ସା କରିବା ପାଇଁ ଡାକ୍ତରଙ୍କ ଅଭାବ ଦେଖାଦେଇଥିଲା। ତା’ପରେ ଭାରତର ପାଞ୍ଚଜଣିଆ ଡାକ୍ତର ଟିମ୍‌ ଚାଇନାକୁ ପଠାଯାଇଥିଲା। ଯାହାଫଳରେ ରୋଗୀମାନେ ଚିକିତ୍ସିତ ହୋଇଥିଲେ। ସେଠାରେ ଡକ୍ଟର ଦ୍ୱାରିକାନାଥ ୨୦୦୦ରୁ ଅଧିକ ଲୋକଙ୍କ ସର୍ଜରୀ କରାଇଥିଲେ। ଏହା ପରେ ଚାଇନାରେ ଡକ୍ଟର କୋଟନିସ ଏବଂ ଭାରତୀୟମାନଙ୍କ ପାଇଁ ଏକ ଭଲ ଭାବନା ସୃଷ୍ଟି ହୋଇଥିଲା।

ମହାରାଷ୍ଟ୍ରର ସୋଲାପୁର ଜିଲାର ଏକ ମଧ୍ୟବିତ୍ତ ପରିବାରରେ ଡା. ଦ୍ୱାରିକାନାଥ କୋଟନିସ୍‌ ୧୯୧୦ ମସିହାରେ ଜନ୍ମଗ୍ରହଣ କରିଥିଲେ। ଏହା ପରେ କୋଟନିସ ବମ୍ବେ ବିଶ୍ୱବିଦ୍ୟାଳୟର ଜିଏସ୍‌ ମେଡିକାଲ କଲେଜରେ ଡାକ୍ତରୀ ବିଜ୍ଞାନ ଅଧ୍ୟୟନ କରିଥିଲେ। ଯେତେବେଳେ ସେ ତାଙ୍କର ଡକ୍ଟରେଟ ଡିଗ୍ରୀ କରୁଥିଲେ, ତାଙ୍କ ପାଖକୁ ଏକ ଫୋନ୍‌ କଲ୍‌ ଆସିଥିଲା, ଯାହା ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲା।

୧୯୩୮ ମସିହାରେ ଚାଇନା ଏବଂ ଜାପାନ ମଧ୍ୟରେ ଯୁଦ୍ଧ ଚାଲିଥିଲା। ଜାପାନୀ ସୈନିକମାନେ ଚାଇନାରେ ଅନୁପ୍ରବେଶ କରିଥିଲେ। ସେତେବେଳେ ଚାଇନାରେ ଡାକ୍ତର ଏବଂ ଡାକ୍ତରୀ କର୍ମଚାରୀଙ୍କ ଅଭାବ ଦେଖାଦେଇଥିଲା। ଚାଇନାରେ ଏପରି କେହି ନ ଥିଲେ ଯିଏ ଲୋକଙ୍କୁ ଭଲ କରିପାରିବ। ଏହା ପରେ ଚାଇନା ନେତା ଜୁ ଦେ ଭାରତୀୟ ଜାତୀୟ କଂଗ୍ରେସର ସାହାଯ୍ୟ ଲୋଡ଼ିଥିଲେ। ସେତେବେଳେ ଜବାହରଲାଲ୍‌ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷ ୫ ଡାକ୍ତରଙ୍କ ଏକ ଦଳ ଚାଇନା ପଠାଇଥିଲେ। ଏଥିରେ କୋଟନିସ୍‌ ମଧ୍ୟ ଥିଲେ।

କୋଟନିସ୍‌ ସେତେବେଳେ ହଜାର ହଜାର ଲୋକଙ୍କ ଜୀବନ ରକ୍ଷା କରିଥିବାରୁ ଚାଇନାବାସୀ ତାଙ୍କୁ ଭଗବାନ ପରି ମାନୁଥିଲେ। ଏପରିକି ଉତ୍ତର ଚାଇନାର ଏକ ମେଡିକାଲ କଲେଜ ବାହାରେ ତାଙ୍କ ପ୍ରତିମୂର୍ତ୍ତି ମଧ୍ୟ ସ୍ଥାପନ କରାଯାଇଛି।

Share