Categories: ଜାତୀୟ

ଉଗ୍ରବାଦୀଙ୍କ ହାତରେ ଚାଇନା ବନ୍ଧୁକ

ନୂଆଦିଲ୍ଲୀ,୧୮।୧୧: ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ବିଭିନ୍ନ ଉଗ୍ରବାଦୀ ସଂଗଠନଙ୍କୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ଲାଗିଛି। ଭାରତରେ ଅଶାନ୍ତି ସୃଷ୍ଟି କରିବା ଲାଗି ଚାଇନା ଏଭଳି ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଗୋଇନ୍ଦା ରିପୋର୍ଟ ଆଧାରରେ ସୀମାରେ ପାଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ା କଡ଼ି କରାଯାଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଏକେ-୪୭, ଏମ୍‌-୧୬ ଏସ୍‌, ଚାଇନା ପିସ୍ତଲ ସମେତ ୪୨୩ ବେଆଇନ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଉଗ୍ରବାଦୀ ସଂଗଠନ ସଦସ୍ୟଙ୍କୁ ଚାଇନା ତାଲିମ ଦେବା ସହିତ ବହୁ ପରିମାଣରେ ଗୋଳାବାରୁଦ ଯୋଗାଇ ଦେଇ ଭାରତ ଏବଂ ମ୍ୟାନ୍‌ମାରରେ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଯୋଜନା କରିଛି। ବାଲାଂଦେଶ ଏବଂ ଥାଇଲାଣ୍ଡରେ କିଛି ଏଜେଣ୍ଟଙ୍କ ସହଯୋଗରେ ଚାଇନା ଶସ୍ତ୍ରଶସ୍ତ୍ର ଚୋରା ଚାଲାଣ କରୁଛି। ଚଳିତବର୍ଷ ଆରମ୍ଭ ସମୟରେ ଭାରତ ମ୍ୟାନ୍‌ମାର ସୀମାରେ ଥିବା ମୋନାଖାଲିଠାରେ ଚାଇନାରେ ନିର୍ମିତ ହୋଇଥିବା ୫୦୦ ଆସାଲ୍ଟ ରାଇଫଲ୍‌, ୩୦ ୟୁନିଭର୍ସାଲ ମେସିନ୍‌ ଗନ୍‌ ଏବଂ ୭୦ ହଜାର ଗୋଳାବାରୁଦ ଜବତ ହୋଇଥିବା । ଏସବୁ ଅସ୍ତ୍ରଶସ୍ତ୍ର ମ୍ୟାନ୍‌ମାରର ଉଗ୍ରବାଦୀ ସଂଗଠନଙ୍କ ପାଇଁ ଆସିଥିଲା। ଚାଇନାର ଏଭଳି କାର୍ଯ୍ୟ ଦ୍ୱାରା ମ୍ୟାନ୍‌ମାରରେ ଭାରତ ପକ୍ଷରୁ ଆରମ୍ଭ ହୋଇଥିବା ପ୍ରକଳ୍ପରେ ବାଧା ସୃଷ୍ଟି ହେବାରେ ଲାଗିଛି।

Share