ଗଣମାଧ୍ୟମର କଣ୍ଠରୋଧ କରୁଛନ୍ତି ଚାଇନା ସରକାର, ବନ୍ଦ ହେଉଛି ଏଜେନ୍ସି…

ବେଜିଂ, ୩।୧ : ଚାଇନା ସରକାର ହଂକଂରେ ଗଣମାଧ୍ୟମର କଣ୍ଠରୋଧ ପ୍ରକ୍ରିୟା ଜାରି ରଖିଛନ୍ତି। ଗଣମାଧ୍ୟମର ସ୍ବାଧୀନତାକୁ ସୀମିତ କରାଯାଉଛି। ଫଳରେ ହଂକଂରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥା ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି। ଫଳରେ ଗୋଟିଏ ପରେ ଗୋଟିଏ ଗଣମାଧ୍ୟମ ସଂସ୍ଥା ବନ୍ଦ ହେବାରେ ଲାଗିଛି। ସମ୍ପ୍ରତି ସିଟିଜେନ୍‌ ନ୍ୟୁଜ୍‌ ନାମକ ଏକ ଅନ୍‌ଲାଇନ୍‌ ଖବର ଏଜେନ୍ସି ବନ୍ଦ ହୋଇଛି।

ଗତ ଏକ ମାସ ମଧ୍ୟରେ ଏହା ହେଉଛି ତୃତୀୟ ଗଣମାଧ୍ୟମ ସଂସ୍ଥା ଯାହାକି ଚାଇନା ସରକାର ଭୟରେ ଖବର କାମ ବନ୍ଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଛି। ଗଣମାଧ୍ୟମର ସ୍ବାଧିନତାରେ ସଙ୍କଟ ଯୋଗୁ ହଂକଂ ରେ ଏଭଳି ସ୍ଥିତି ଉପୁଜିଛି। କିଛି ଦିନ ପୂର୍ବେ ଗଣତନ୍ତ୍ର ସମର୍ଥକ ଗଣମାଧ୍ୟମ ସଂସ୍ଥା ଉପରେ ପୋଲିସ ଚଢ଼ାଉ କରି ଦେଶଦ୍ରୋହ ଅଭିଯୋଗରେ ୭ଜଣଙ୍କୁ ଗିରଫ କରିବା ପରେ ମିଡ଼ିିଆ ଏଜେନ୍ସି ଗୁଡ଼ିକ ପକ୍ଷରୁ ଏଭଳି ପଦକ୍ଷେପ ଜାରି ରହିଛି।

ସିଟିଜେନ୍‌ ନ୍ୟୁଜ୍‌ ପକ୍ଷରୁ ଏକ ଫେସବୁକ ପୋଷ୍ଟରେ ଏହି ନିଷ୍ପତ୍ତି ସମ୍ପର୍କରେ ଘୋଷଣା କରାଯାଇଛି। ସଂସ୍ଥା କହିଛିି ଯେ ଜାନୁଆରୀ ୪ରେ ନିଜ ସାଇଟରେ ରିପୋର୍ଟ କରିବା ବନ୍ଦ କରିଦେବ ଏବଂ ଏହା ପରେ ସଂଗଠନ ବନ୍ଦ ହୋଇଯିବ।

ସେ ଏକ ବିବୃତ୍ତିରେ ସଂସ୍ଥା ପକ୍ଷରୁ କୁହାଯାଇଛି ଯେ, ଆମେ ମାତୃଭୂମିକୁ ସର୍ବଦା ଭଲପାଉଛୁ। କିନ୍ତୁ ବର୍ତ୍ତମାନ ଆମେ ଅସହାୟ ହୋଇପଡିଛୁ କାରଣ ଆମେ କେବଳ ବର୍ଷା ନୁହେଁ ଝଡ଼ ଏବଂ ସୁନାମୀର ମଧ୍ୟ ସମ୍ମୁଖୀନ ହେଉଛୁ। ଆମେ ଆମର ମୂଳ ଉଦ୍ଦେଶ୍ୟକୁ କେବେ ବି ଭୁଲି ନାହୁଁ କିନ୍ତୁ ଏହା ଅତ୍ୟନ୍ତ ଦୁଃଖର ବିଷୟ ଯେ ଗତ ଦୁଇ ବର୍ଷ ମଧ୍ୟରେ ସମାଜରେ ଦ୍ରୁତ ପରିବର୍ତ୍ତନ ଏବଂ ମିଡିଆ ପରିବେଶର ଅବନତି ହେତୁ ଆମେ ଅସୁବିଧାରେ ପଡ଼ିଛୁ। ଆମେ ଆମର ଆଦର୍ଶ ହାସଲ କରିବାରେ ବିଫଳ ହୋଇଛୁ।

ଏହାପୂର୍ବରୁ ଗଣତନ୍ତ୍ରର ସମର୍ଥନ କରୁଥିବା ସଂସ୍ଥା ’ଆପଲ ଡେଲୀ’ ଏବଂ ଅନଲାଇନ ନ୍ୟୁଜ ସାଇଟ ’ଷ୍ଟାଣ୍ଡ ନ୍ୟୁଜ’ ମଧ୍ୟ ବନ୍ଦ ହୋଇସାରିଛି। ଚାଇନା ଏଠାରେ ଲୋକଙ୍କ ପ୍ରଦର୍ଶନକୁୂ ରୋକିବା ଲାଗି ଜାତୀୟ ସୁରକ୍ଷା ଆଇନ ପ୍ରଣୟନ କରିଛି।

ଚାଇନାର ଅଧିକାରୀମାନେ ଷ୍ଟାଣ୍ଡ ନ୍ୟୁଜ ଉପରେ ଚଢ଼ାଉ କରି ଏହାର ସମ୍ପାଦକ ତଥା ପୂର୍ବତନ ବୋର୍ଡ ସଦସ୍ୟଙ୍କ ସମେତ ୭ଜଣଙ୍କୁ ଦେଶଦ୍ରୋହୀ ସାମଗ୍ରୀ ପ୍ରକାଶନ ପାଇଁ ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ଗିରଫ କରିଥିଲେ। ଫଳରେ ଷ୍ଟାଣ୍ଡ ନ୍ୟୁଜ ପକ୍ଷରୁ ଏହାର କାର୍ଯ୍ୟ ବନ୍ଦ କରାଯାଉଥିବା ସମ୍ପର୍କରେ ଘୋଷଣା କରାଯାଇଥିଲା।

Share