Categories: ଜାତୀୟ

ଚାଇନା ବାଣ ରଖିବା-ବିକିବା ଅପରାଧ: ଧରାପଡ଼ିଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଚଣ୍ଡିଗଡ଼,୩।୧୧: ହରିୟାଣାରେ ଚାଇନା ବାଣ ରଖିବା ଏବଂ ବିକିବା ଉପରେ ରାଜ୍ୟ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଏଭଳି କାର୍ଯ୍ୟରେ ଲିପ୍ତଥିବା ବ୍ୟକ୍ତି ବିଶେଷଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଦୀପାବଳି, ଗୁରୁପର୍ବ ଏବଂ ବିବାହ ଉତ୍ସବରେ ବାଣ ଫୁଟାଯାଇଥାଏ। ବାଣ ବିକ୍ରେତା ମୁଖ୍ୟତଃ ଚାଇନା ବାଣ ବିକ୍ରି କରିଥାନ୍ତି। ତେବେ ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟରଙ୍କ ସରକାର ଏବେ ଚାଇନା ବାଣ ବିକ୍ରି ଉପରେ ଅଙ୍କୁଶ ଲଗାଇବାକୁ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏନେଇ ରାଜ୍ୟର ପ୍ରତି ଜିଲା ଉଚାୟୁକ୍ତଙ୍କ ଲାଗି ସତର୍କ ସୂଚନା ଜାରି କରାଯାଇଛି। କେନ୍ଦ୍ରୀୟ ବାଣିଜ୍ୟ ମନ୍ତ୍ରଣାଳୟ ଅନୁସାରେ ବାଣ ଭାରତୀୟ ଟ୍ରେଡ୍‌ କ୍ଲାସିଫିକେଶନ୍‌ ଅନ୍ତର୍ଗତ ହୋଇଥିବାରୁ ଏହାର ଆମଦାନୀ ପ୍ରତିବନ୍ଧିତ। ବହିର୍ବ୍ୟାପାର ମହାନିର୍ଦ୍ଦେଶାଳୟର ଲାଇସେନ୍ସ୍‌ ବିନା ବାଣର ଆମଦାନୀ କରାଯାଇ ପାରିବ ନାହିଁ। ମହାନିର୍ଦ୍ଦେଶାଳୟ ପକ୍ଷରୁ ଚାଇନାରୁ ବାଣ ଆମଦାନୀ ନେଇ କୌଣସି ସୂଚନା ଜାରି କରାଯାଇ ନାହିଁ। ସେହିପରି ବାଣ ବିକ୍ରି ପାଇଁ ପେଟ୍ରୋଲିୟମ୍‌ ଏବଂ ବିସ୍ଫୋଟକ ସୁରକ୍ଷା ସଂଗଠନ ପକ୍ଷରୁ ଅନୁମତି ପତ୍ର ଜାରି କରାଯାଇଥାଏ। ରାଜ୍ୟ ସରକାର ଚାଇନା ବାଣ ବିକ୍ରି କରୁଥିବା ବ୍ୟକ୍ତିଙ୍କୁ ଧରିବା ପାଇଁ ସ୍ବତନ୍ତ୍ର ସ୍କାଡ୍‌ ଗଠନ କରିଛନ୍ତି।

Share