ଶିଶୁର ଆମେରିକା ନାଗରିକତ୍ୱ ପାଇଁ ସରୋଗେସି ଆପଣାଉଛନ୍ତି ଚାଇନା ଦମ୍ପତି

ନ୍ୟୁୟର୍କ,୨୩ା୯:ଆମେରିକାରେ ଶିଶୁ ଜନ୍ମ କରିବାକୁ ଚାଇନାର ଅନେକ ଧନୀ ପରିବାର ଆକାଂକ୍ଷା ରଖୁଛନ୍ତି। କାଲିଫର୍ନିଆରେ ବଢ଼ିଚାଲିଥିବା ସରୋଗେସି ଶିଳ୍ପ ଏଭଳି ଧନୀ ଚାଇନିଜ୍‌ ପରିବାରଗୁଡ଼ିକୁ ଆକର୍ଷିତ କରୁଛି, ଯେଉଁମାନେ ସେମାନଙ୍କ ପିଲା ଆମେରିକାରେ ଜନ୍ମ ହୁଅନ୍ତୁ ଓ ସେଠାକାର ନାଗରିକତ୍ୱ ହାସଲ କରନ୍ତୁ ବୋଲି ଚାହୁଁଛନ୍ତି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ପାଟ୍ରିଅଟ୍‌ କନ୍‌ସେପସନ୍ସ ନାମକ ଏଭଳି ଏକ କମ୍ପାନୀ ଆମେରିକା ଓ ଚାଇନା ମଧ୍ୟରେ କାର୍ଯ୍ୟ କରୁଛି। ଉକ୍ତ କମ୍ପାନୀ ଏହାର କାର୍ଯ୍ୟ ଜରିଆରେ ଚାଇନିଜ୍‌ ମାତାପିତାଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଆମେରିକାର ପୂର୍ବତନ ସୈନିକ ହାଓଟିଆନ୍‌ ବାଇଙ୍କ ଦ୍ୱାରା ସ୍ଥାପିତ କମ୍ପାନୀ ବିଦେଶୀ ଗ୍ରାହକମାନଙ୍କ ପାଇଁ ସରୋଗେସି ସେବାର ବିଜ୍ଞାପନ କରିଥାଏ। ଏହାର ପ୍ରଚାର ବିଷୟବସ୍ତୁ ଉଭୟ ଚାଇନିଜ୍‌ ଓ ଇଂଲିଶ ଭାଷାରେ ଉପଲବ୍ଧ। ସମ୍ଭାବ୍ୟ ଗ୍ରାହକମାନଙ୍କୁ ଓ୍ବିଚାଟ୍‌ ନାମକ ଚାଇନାରେ ବହୁଳ ଭାବେ ବ୍ୟବହୃତ ମେସେଜିଂ ପ୍ଲାଟ୍‌ଫର୍ମ ଜରିଆରେ କମ୍ପାନୀ ସହ ଯୋଗାଯୋଗ କରିବାକୁ କୁହାଯାଇଥାଏ। ସରୋଗେସି ଯୋଗାଡ଼ କରିବା ପାଇଁ ଆଗ୍ରହୀ ଦମ୍ପତିଙ୍କୁ ୧,୨୦,୦୦୦ ଡଲାରରୁ ୨,୦୦,୦୦୦ ଡଲାର (୧.୧ କୋଟିରୁ ୧.୯ କୋଟି ଟଙ୍କା) କମ୍ପାନୀକୁ ପୈଠ କରିବାକୁ ପଡ଼ିଥାଏ। ଯେଉଁ ମହିଳା ସରୋଗେଟ୍‌ ଭାବେ କାର୍ଯ୍ୟ କରନ୍ତି, ସେମାନଙ୍କୁ ୬୦,୦୦୦ରୁ ୧,୨୦,୦୦୦ ଡଲାର ପର୍ଯ୍ୟନ୍ତ ଦିଆଯାଇଥାଏ। ଏହି ପ୍ରକ୍ରିୟାରେ ସାଧାରଣତଃ ମାତାପିତା ଭ୍ରୂଣ ପ୍ରସ୍ତୁତ କରିଥାନ୍ତି, ଯାହାକୁ ସରୋଗେଟ୍‌ ମହିଳାଙ୍କ ଗର୍ଭାଶୟକୁ ସ୍ଥାନାନ୍ତର କରାଯାଇଥାଏ। ଖବର ଅନୁଯାୟୀ, କେତେଜଣ ଚାଇନା ଦମ୍ପତି ପ୍ରଜନନ ପ୍ରକ୍ରିୟା ପାଇଁ ଆମେରିକା ଯାଇଥାନ୍ତି। ଆମେରିକାରେ ଭ୍ରୂଣ ପ୍ରତିରୋପଣ ପାଇଁ ଚାଇନାରୁ ମଧ୍ୟ ପଠାଯାଇପାରିବ। ଆମେରିକାର ନାଗରିକତ୍ୱ ହାସଲ କରିବା ଦ୍ୱାରା ବହୁ ସମ୍ଭାବ୍ୟ ସୁବିଧା ମିଳିବାକୁ ଥିବାରୁ ଅନେକ ଚାଇନା ପରିବାର ଆମେରିକାରେ ପିଲା ଜନ୍ମ କରିବାକୁ ଅଭିଳାଷ ରଖିଥାନ୍ତି। ଏହି ପିଲାକୁ ପରେ ଚାଇନାରେ ସେମାନଙ୍କ ମା’ବାପା ଲାଳନପାଳନ କରିପାରିବେ। ଜୁଡ଼ି ନାମ୍ନୀ ଜଣେ ସରୋଗେଟ୍‌ ମହିଳା ଚାଇନାର ବିଲିୟନେୟାର ଜୁ ବୋ’ଙ୍କ ସନ୍ତାନକୁ ଗର୍ଭରେ ଧାରଣ କରିଥିବା ଜାଣିବା ପରେ ଏହି ପ୍ରସଙ୍ଗ ଅନେକଙ୍କ ଦୃଷ୍ଟି ଆକର୍ଷଣ କରିଛି। ଜୁଡ଼ି କହିଛନ୍ତି, ପାଟ୍ରିଅନଟ୍‌ କନ୍‌ସେପ୍ସନ୍ସ କମ୍ପାନୀର ଏକ ଇନ୍‌ାଗ୍ରାମ ବିଜ୍ଞାପନର ଉତ୍ତର ଦେଇଥିଲେ। ତେବେ ପିଲାର ଜୈବିକ ବାପା କିଏ, ସିବିଏସ୍‌ ନ୍ୟୁଜ୍‌ ତାଙ୍କୁ ସୂଚନା ନ ଦେବା ପର୍ଯ୍ୟନ୍ତ ସେ ଜାଣି ନ ଥିଲେ। ପାଟ୍ରିଅଟ୍‌ କନ୍‌ସେପ୍ସନ୍ସ କହିଛି, ଜୁ ବୋ’ଙ୍କ ତରଫରୁ ସେ ସରୋଗେସି ଯୋଗାଡ଼ କରିଥିଲା। ସରୋଗେଟ୍‌ଙ୍କ ଉଦ୍‌ବେଗକୁ ଗମ୍ଭୀରତାର ସହ ନିଆଯିବା ଉଚିତ ବୋଲି ଏହା କହିଛି।
ସରୋଗେଟ୍‌ ମାଆମାନେ ଇଚ୍ଛୁକ ମାତାପିତାଙ୍କ ସମ୍ପର୍କରେ କେତେ ସୂଚନା ପାଉଛନ୍ତି, ଏହି ମାମଲା ତାହା ଉପରେ ପ୍ରଶ୍ନ ଉଠାଇଛି। ଜୁଡ଼ିଙ୍କ ଅନୁଭବ ଏଭଳି ବ୍ୟବସ୍ଥାଗୁଡ଼ିକର ଯାଞ୍ଚକୁ ବଢ଼ାଇ ଦେଇଛି, ଯେଉଁଥିରେ ସରୋଗେଟ୍‌ ମାଆମାନେ ଗର୍ଭରେ ଧାରଣ କରୁଥିବା ପିଲାର ମାଆବାପାଙ୍କ ପରିଚୟ କିମ୍ବା ପୃଷ୍ଠଭୂମି ବିଷୟରେ ହୁଏତ ଜାଣି ନ ଥାଇପାରନ୍ତି। ସରୋଗେସି ଜରିଆରେ ଅନେକ ହଜାର ମାତାପିତାଙ୍କୁ ସହାୟତା କରିଥିବା ପାଟ୍ରିଅଟ୍‌ କନ୍‌ସେପ୍ସନ୍ସର ପ୍ରତିଷ୍ଠାତା ପୂର୍ବରୁ ଦାବି କରିଥିଲେ। ପ୍ରାୟ ୪୦% ଗ୍ରାହକ ଆମେରିକା ବାହାରୁ ଆସିଥାନ୍ତି। କମ୍ପାନୀର ପ୍ରଚାର ମୁଖ୍ୟତଃ ଚାଇନା ଗ୍ରାହକମାନଙ୍କ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଥିବା ଭଳି ମନେହୁଏ।

 

Dharitri – Odisha’s No.1 Odia Daily

 

Share