କରୋନାର ଲାଇଭ୍ ରିପୋର୍ଟିଂ ପଡିଲା ମହଙ୍ଗା: ମହିଳା ଖବରଦାତାଙ୍କୁ ଜେଲ!

ବେଜିଂ,୨୮ ।୧୨: ପୁଣିଥରେ ସାମ୍ନାକୁ ଆସିଛି ଚାଇନାର ଅସଲ ରୂପ । ଚାଇନାରେ କରୋନାର କେନ୍ଦ୍ରବିନ୍ଦୁ କୁହାଯାଉଥିବା ଉହାନରେ କୋଭିଡ-୧୯କୁ ନେଇ ଖବର ସଂଗ୍ରହ କରିବା ଜଣେ ସିଟିଜନ ଜର୍ନାଲିଷ୍ଟଙ୍କୁ ମହଙ୍ଗା ପଡିଛି । ଝାଙ୍ଗ ଝାନ ନାମକ ଏହି ମହିଳା ଖବରଦାତାଙ୍କୁ ଝଗଡା କରିବା ଓ ସମସ୍ୟା ସୃଷ୍ଟି କରିବାକୁ ଉସକାଇବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଛି ଚାଇନା କୋର୍ଟ । ଏଥିପାଇଁ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଝାଙ୍ଗଙ୍କ ଓକିଲ ସୋମବାର କହିଛନ୍ତି ସେ କରେନାକୁ ନେଇ ଲାଇଭ୍ ଷ୍ଟ୍ରିମିଂ ରିପୋର୍ଟିଂ କରୁଥିବାରୁ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡ ଦିଆଯାଇଛି । ହେଲେ ସାଂଘାଇ ଅଦାଲତ କହିଛନ୍ତି ଝାଙ୍ଗ ଝାନଙ୍କୁ ଏହି ଦଣ୍ଡ ଝଗଡା କରିବା ଓ ସମସ୍ୟା ସୃଷ୍ଟି କରିବାକୁ ଉସକାଇବା ଅଭିଯୋଗର ଶୁଣାଣିରେ କୁହାଯାଇଛି । ଝାଙ୍ଗଙ୍କ ଓକିଲ ରେନ କ୍ୱନିୟୁ କହିଛନ୍ତି ଝାଙ୍ଗ ଦୋଷୀ ସାବ୍ୟସ୍ତ ହେବା ପରେ ଖୁବ୍ ନିରାସ ହୋଇ ଯାଇଛନ୍ତି । ତେବେ କୋର୍ଟ ରାୟ ଶୁଣାଇବା ସମୟରେ ଝାଙ୍ଗଙ୍କ ମା’ ଖୁବ୍ ଜୋରରେ ଚିତ୍କାର କରିଥିଲେ । ସୂଚନାଯୋଗ୍ୟ, କରୋନା ମହାମାରୀ ସମୟରେ ଅର୍ଥାତ୍ ଫେବୃୟାରୀରେ ଝାଙ୍ଗଙ୍କ କରୋନାକୁ ନେଇ ଲାଇଭ୍ ରିପୋର୍ଟିଂ ଓ ସୋସିଆଲ ମିଡିଆରେ ତାଙ୍କ ଲେଖାକୁ ନେଇ ଖୁବ୍ ଆଲୋଚନା ହୋଇଥିଲା । ଯେଉଁଥିପାଇଁ ସେ ଅଧିକାରୀମାନଙ୍କ ନଜରକୁ ଆସିଯାଇଥିଲେ ବୋଲି କୁହାଯାଏ ।

Share