Categories: ଜାତୀୟ

ପାଙ୍ଗଓଙ୍ଗ ହ୍ରଦ ଉପରେ ପୋଲ ନିର୍ମାଣକୁ ଭାରତର ବିରୋଧ

ନୂଆଦିଲ୍ଲୀ,୬।୧: ଲଦାଖ ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦ ଉପରେ ଚାଇନାର ପୋଲ ନିର୍ମାଣକୁ କଡ଼ା ବିରୋଧ କରିଛି ଭାରତ। ପୋଲ ନିର୍ମାଣ କରାଯାଉଥିବା ସ୍ଥାନକୁ ୬୦ ବର୍ଷ ହେଲା ଚାଇନା ବେଆଇନା ଭାବେ ନିଜ ଦଖଲ ରଖିଛି ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ (ଏମ୍‌ଇଏ) ପକ୍ଷରୁ କୁହାଯାଇଛି।

“ପାଙ୍ଗଓଙ୍ଗ ହ୍ରଦର ଉଭୟ ପାର୍ଶ୍ୱରେ ଚାଇନାର ପୋଲ ନିର୍ମାଣ କାର୍ଯ୍ୟ ଉପରେ ଭାରତ ସରକାର ତୀକ୍ଷ୍ଣ ନଜର ରଖିଛନ୍ତି। ପ୍ରାୟ ୬୦ ବର୍ଷ ହେଲା ଚାଇନା ଦଖଲରେ ଥିବା ବେଆଇନ ସ୍ଥାନରେ ଏହି ପୋଲ ନିର୍ମାଣ ହେଉଛି। ଭାରତ କଦାପି ଏଭଳି ବେଆଇନ ନିର୍ମାଣକୁ ସ୍ବୀକାର କରିବ ନାହିଁ। ଦେଶର ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେଉଛନ୍ତି” ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗଚି କହିଛନ୍ତି।

ଦେଶର ସୁରକ୍ଷା କେଉଁ ଭଳି ପଦକ୍ଷେପ ନିଆଯାଉଛି ପଚାରିବାରୁ ବାଗ୍‌ଚି କହିଛନ୍ତି, ସୁରକ୍ଷା ଲାଗି ବ୍ୟବହୃତ ପାଣ୍ଠିରେ ବୃଦ୍ଧି କରାଯାଇଛି। ବର୍ଦ୍ଧିତ ପାଣ୍ଠି ଦ୍ୱାରା ସୀମାରେ ଭିତ୍ତିଭୂମି (ରାସ୍ତା ଓ ପୋଲ) ନିର୍ମାଣ କରାଯାଉଛି, ଯାହାକି ଆମ ସଶସ୍ତ୍ର ବାହିନୀକୁ ଫାଇଦାରେ ରଖିବ।

Share