Categories: ଜାତୀୟ

ଏଲ୍‌ଏସିରେ ଚାଇନାର ନୂଆ ସର୍ତ୍ତ: ଭାରତ କଲା ବିରୋଧ

ନୂଆଦିଲ୍ଲୀ, ୧୭।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଥମିବାର ନା ଧରୁନି। ଏପରିସ୍ଥଳେ ଚାଇନା ଭାରତ ସମ୍ମୁଖରେ ନୂଆ ସର୍ତ୍ତ ରଖିଛି। ଚାଇନା କହିଛି ଯେ, ପୋଙ୍ଗାଙ୍ଗ ହ୍ରଦର ଦକ୍ଷିଣ ଅଞ୍ଚଳର ଆଡଭାନ୍ସଡ୍‌ ପୋଜିଶନ୍‌ରୁ ଭାରତୀୟ ସେନା ହଟନ୍ତୁ। ତେବେ ଭାରତ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଇଛି। ଭାରତ ରୋକ୍‌ଠୋକ୍‌ କହିଛି ଯେ, ଏକାସାଙ୍ଗରେ ଦୁଇପକ୍ଷ ପଛକୁ ହଟିବେ। ଏହା ସହିତ ଭାରତ କହିଛି, ପୋଙ୍ଗାଙ୍ଗର ଉତ୍ତର ଅଞ୍ଚଳରୁ ଚାଇନା ସୈନ୍ୟ ବାହିନୀ ନ ହଟିଲେ ଭାରତ ପାଦେ ବି ପଛକୁ ହଟିବ ନାହିଁ। ସୀମାରେ କୌଣସି ପ୍ରକାର ଏକ ତରଫା ହଟିବା କାର୍ଯ୍ୟ ସମ୍ଭବ ନୁହେଁ। ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଦୁଇପକ୍ଷ ସମାନ ଭାବେ ପଛକୁ ହଟିବା ଆବଶ୍ୟକ ବୋଲି ଭାରତ କହିଛି। ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଛନ୍ତି ଯେ, ଚାଇନା ଏଲ୍‌ଏସିରେ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ଏହାଦ୍ୱାରା ସୀମାରେ ସ୍ବାଭାବିକ ସ୍ଥିତି ଜାରି ରହିପାରୁ ନାହିଁ। ସୀମାରେ ଘଟିଥିବା ସଂଘର୍ଷ ଯୋଗୁ ୩୦ ବର୍ଷର ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ସେ କହିଛନ୍ତି।

Share