ଭୁଟାନ ଉପରେ ଚାଇନାର ଆଖି: ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ଅଧିକାର କରିବାକୁ ଷଡ଼ଯନ୍ତ୍ର

ଥିମ୍ପୁ, ୩୦।୬: ଚାଇନା ଭୁଟାନର କିଛି ଅଞ୍ଚଳକୁ ନିଜ ଅଧିକାରରେ ନେବା ଲାଗି ଷଡ଼ଯନ୍ତ୍ର ରଚିଛି। ଭୁଟାନର ସକତେଙ୍ଗ୍‌ ବନ୍ୟପ୍ରାଣୀ ଅଭୟାରଣ୍ୟକୁ ଚାଇନା ନିଜର ବୋଲି ଦାବି କରିଛି। ଏହି ଜମି ନେଇ ପୂର୍ବରୁ ଚାଇନା ଏବଂ ଭୁଟାନ ମଧ୍ୟରେ କେବେ ମଧ୍ୟ ବିବାଦ ରହି ନ ଥିବାବେଳେ ଏବେ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ଏହି ଅଭୟାରଣ୍ୟ ଅରୁଣାଚଳ ପ୍ରଦେଶ ସୀମାକୁ ଲାଗିଛି। ଗ୍ଲୋବାଲ ଏନଭାରର୍ନମେଣ୍ଟ୍‌ ଫାସିଲିଟି କାଉନସିଲ୍‌ର ୫୮ତମ ବୈଠକରେ ଚାଇନା ଭୁଟାନର ଏହି ଅଞ୍ଚଳକୁ ନିଜର ବୋଲି ଦାବି କରିଛି। ଏଠାରେ ଜାରି ରହିଥିବା ବନ୍ୟପ୍ରାଣୀ ଅଭୟାରଣ୍ୟ ପାଇଁ ହେଉଥିବା ଫଣ୍ଡିଂକୁ ଚାଇନା ବିରୋଧ କରିଛି। ଚାଇନାର ଏଭଳି ଦାବିକୁ ଭୁଟାନରେ ତୀବ୍ର ବିରୋଧ କରାଯାଇଛି। ଏହି ଅଞ୍ଚଳ ଭୁଟାନର ଅଭିନ୍ନ ଅଙ୍ଗ ବୋଲି ଭୁଟାନ କହିଛି। ଚାଇନା ଏବଂ ଭୁଟାନ ମଧ୍ୟରେ ବର୍ତ୍ତମାନ ସୁଦ୍ଧା ସୀମା ନିର୍ଦ୍ଧାରଣ କରାଯାଇ ନାହିଁ। ତେଣୁ ଚାଇନା ଏହାର ଫାଇଦା ନେବାକୁ ବସିଥିବା କୁହାଯାଉଛି। ଏହି ବନ୍ୟପ୍ରାଣୀ ଅଭୟାରଣ୍ୟକୁ କେବେ ମଧ୍ୟ ଗ୍ଲୋବାଲ ଫଣ୍ଡିଂ ମିଳି ନାହିଁ। ମାତ୍ର ଚାଇନା ଫଣ୍ଡିଂକୁ ବିରୋଧ କରି ନିଜର ନିହିତ ସ୍ବାର୍ଥକୁ ପଦାରେ ପକାଇ ଦେଇଛି। ତେବେ ଗ୍ଲୋବାଲ ଏନଭାରର୍ନମେଣ୍ଟ୍‌ ଫାସିଲିଟି କାଉନସିଲ୍‌ ଚାଇନାର ଦାବିକୁ ଅଣ ଦେଖା କରି ଅଭୟାରଣ୍ୟ ଲାଗି ଫଣ୍ଡିଂ ସଂଗ୍ରହକୁ ମଞ୍ଜୁରୀ ଦେଇଛନ୍ତି। ଏହି କାଉନସିଲ୍‌ରେ ଚାଇନାର ପ୍ରତିନିଧି ରହିଛନ୍ତି। କିନ୍ତୁ ଭୁଟାନର କେହି ପ୍ରତିନିଧି ନାହାନ୍ତି। ତେଣୁ ଭାରତୀୟ ଆଇଏଏସ୍‌ ଅଧିକାରୀ ଅପର୍ଣ୍ଣା ସୁବ୍ରମଣ୍ୟମ୍‌ ଭୁଟାନର ପ୍ରତିନିଧିତ୍ୱ କରି ପକ୍ଷ ରଖିଥିଲେ। ଫଳରେ ଚାଇନାର ଯୋଜନା ଫସର ଫାଟି ଯାଇଛି। ସୂଚନାଯୋଗ୍ୟ, ଜୁନ୍‌ ୨ରେ ଚାଇନା ଏଭଳି ଦାବି କରିବା ପରେ ଭୁଟାନରେ ଲୋକେ ବିରୋଧ ପ୍ରଦର୍ଶନ ଆରମ୍ଭ କରିଥିଲେ।

Share