Categories: ଜାତୀୟ

ୟୁଏନ୍‌ଏସ୍‌ସିରେ କଶ୍ମୀର ପ୍ରସଙ୍ଗ ଉଠାଇବାକୁ ଚାଇନାର ଉଦ୍ୟମ

ନୂଆଦିଲ୍ଲୀ,୭ା୮(ପି.ଟି./ଆଇଏନ୍‌ଏସ୍‌):କଶ୍ମୀର ପ୍ରସଙ୍ଗକୁ ଚାଇନା ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଉଠାଇବାକୁ ଉଦ୍ୟମ କରୁଥିବାବେଳେ ଭାରତ ଏହାର ସମାଲୋଚନା କରିବା ସହ ବେଜିଂକୁ କଡ଼ା ଚେତାବନୀ ଦେଇଛି। ଭାରତର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ନ ଖେଳାଇବା ଲାଗି ଗୁରୁବାର ବେଜିଂକୁ ନୂଆଦିଲ୍ଲୀ କହିଛି। ଜାତିସଂଘ ସୁରକ୍ଷା ପରିଷଦରେ କଶ୍ମୀର ପ୍ରସଙ୍ଗ ଉଠାଇବା ପାଇଁ ପାକିସ୍ତାନ ଉଦ୍ୟମ ଚଳାଇଥିବାବେଳେ ଚାଇନା ଏହାକୁ ସମର୍ଥନ କରିଆସୁଛି। ବୁଧବାର ଜମ୍ମୁ-କଶ୍ମୀର ପୁନର୍ଗଠନର ପ୍ରଥମ ବାର୍ଷିକୀ ପାଳନ ଅବସରରେ ଉକ୍ତ ପ୍ରସଙ୍ଗ ୟୁଏନ୍‌ଏସ୍‌ସିରେ ଆଲୋଚନା ଲାଗି ଇସ୍‌ଲାମାବାଦ ଉଠାଇଥିବାବେଳେ ବେଜିଂ ଏହାକୁ ସମର୍ଥନ କରିଥିଲା। ତେବେ ଏହା ସଫଳ ହୋଇପାରି ନାହିଁ।
ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି, ଚାଇନା ପୂର୍ବରୁ କେତେଥର ଜାତିସଂଘରେ କଶ୍ମୀର ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଉଦ୍ୟମ କରିଥିଲା। ତେବେ ଏହାକୁ ଅନ୍ତର୍ଜାତୀୟ ସମୁଦାୟ ସମର୍ଥନ ଦେଇ ନ ଥିଲେ। ଏଥର ମଧ୍ୟ ଚାଇନା ଏଭଳି ଉଦ୍ୟମରୁ ଦୂରେଇ ରହିବା ପାଇଁ ଭାରତ ଆହ୍ବାନ ଦେଇଛି। ପୂର୍ବ ଲଦାଖରେ ଭାରତ ଓ ଚାଇନା ମଧ୍ୟରେ ସୀମାବିବାଦ ଜଟିଳ ହୋଇଥିବାବେଳେ କଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟକରଣ କରିବା ପାଇଁ ବେଜିଂ ଉଦ୍ୟମ କରୁଛି। ଗତବର୍ଷ ଅଗଷ୍ଟ ୫ରେ ଭାରତ ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ କରିବା ସହ ଏହାକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲା। ଭାରତର ଏଭଳି ନିଷ୍ପତ୍ତିକୁ ସେତେବେଳେ ଚାଇନା ସମାଲୋଚନା କରିଥିଲା।

Share