Categories: ଜାତୀୟ

ଚାଇନାର ଦାଦାଗିରି: କାରାକୋରମ ପର୍ଯ୍ୟନ୍ତ ନିର୍ମାଣ କରୁଛି ସଡ଼କ

ଲଦାଖ,୧୯।୧୨: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ଚାଇନା ଜାଣିଶୁଣି ଏଠାରେ ଲଗାତାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛି। ଏହାକୁ ନେଇ ଭାରତ ଚିନ୍ତା ବଢ଼ିବାରେ ଲାଗିଛି। ଉପଗ୍ରହ ଦ୍ୱାରା ଉତ୍ତୋଳନ କରାଯାଇଥିବା ଚିତ୍ରରୁ ଜଣାପଡ଼ିଛି ଯେ, ଚାଇନା କାରାକୋରମ୍‌ ପର୍ଯ୍ୟନ୍ତ ଶୀଘ୍ର ପହଞ୍ଚିବା ପାଇଁ ଏକ ସଡ଼କ ନିର୍ମାଣ କାର୍ଯ୍ୟ ଜୋର୍‌ସୋର୍‌ରେ ଜାରି ରଖିଛି। ଏହାର ଚୌଡ଼ା ୮ରୁ୧୦ ମିଟର ବୋଲି କୁହାଯାଉଛି। ଭାରତ ଚାଇନା ମଧ୍ୟରେ ୩,୪୮୮ କିଲୋମିଟର ଲମ୍ବ ଏଲ୍‌ଏସି ରହିଛି। ସେଥିମଧ୍ୟରୁ ଲଦାଖଠାରେ ଥିବା ୫୯୭ କିଲୋମିଟର ଲମ୍ବ ଏଲ୍‌ଏସିରେ ସ୍ଥିତି ଅଧିକ ଉତ୍ତେଜନାପୂର୍ଣ୍ଣ ରହିଛି। ଏଠାରେ ଦୁଇପକ୍ଷଙ୍କ ସୈନ୍ୟ ବାହିନୀ ଏବଂ ଯୁଦ୍ଧ ସରଞ୍ଜାମ ବଢ଼ିବାରେ ଲାଗିଛି। ଭାରତୀୟ ସେନାଙ୍କ ସହିତ ଅଧିକ ସମୟ ଧରି ଯୁଦ୍ଧ କରିପାରିବା ଲାଗି ଚାଇନା ନିଜର ଦାଦାଗିରି ଦେଖାଇ ଏଠାରେ ଜାଣିଶୁଣି ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି କରିବାକୁ ଉଦ୍ୟମ କରୁଛି। ଚାଇନାର ଏହି ସଡ଼କ କାରାକୋରମ ବାଟ ଦେଇ ଦୌଲତ ବେଗ ଓଲ୍ଡିକୁ ସଂଯୋଗ କରୁଛି। ରଣନୈତିକ ଦୃଷ୍ଟିକୋଣରୁ ଏହା ଦ୍ୱାରା ଚାଇନା ବେଶ୍‌ ଲାଭାନ୍ବିତ ହୋଇପାରିବ। ଯୁଦ୍ଧ ଉପୁଜିବା ସ୍ଥିତିରେ ଚାଇନା ଏହାର ସୈନ୍ୟ ବାହିନୀଙ୍କୁ ଆବଶ୍ୟକ ସହାୟତା ଏହି ସଡ଼କ ବାଟେ ସହଜରେ ଯୋଗାଇ ପାରିବ। ଚାଇନାର ଏଭଳି କାର୍ଯ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି।

Share