ଚାଇନାର ବ୍ରେନ୍‌ ଡ୍ରେନ୍‌ ଯୋଜନା, ତାଇଓ୍ବାନ ଇଞ୍ଜିନିୟରଙ୍କୁ ଅଧିକ ଦରମାରେ ଦେଉଛି ନିଯୁକ୍ତି…

ବେଜିଂ, ୫।୫ : ପଡୋଶୀ ଦେଶଙ୍କୁ ହଇରାଣ କରିବା ପାଇଁ ଚାଇନା ବିଭିନ୍ନ ପ୍ରକାର ଯୋଜନା ପ୍ରସ୍ତୁତ କରିଥାଏ। ତାଇଓ୍ବାନକୁ ସମସ୍ୟାରେ ପକାଇବା ଲାଗି ଚାଇନା ଏବେ ନୂଆ ରଣନୀତି ଆପଣେଇଛି। ଚାଇନା କମ୍ପାନୀଗୁଡିକ ତାଇୱାନର ସେମିକଣ୍ଡକ୍ଟର ତିଆରି କରୁଥିବା ଇଞ୍ଜିନିୟର ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଟ୍ରାପ କରୁଛନ୍ତି। ସେମାନଙ୍କୁ ଅଧିକ ଦରମାର ପ୍ରଲୋଭନ ଦେଖାଇ ବ୍ରେନ୍‌ ଡ୍ରେନ୍‌ ଯୋଜନା କରୁଛନ୍ତି।

ଚାଇନାର ଏଭଳି କାର୍ଯ୍ୟ ନେଇ ତାଇୱାନ ଭୟଭୀତ ହେବାରେ ଲାଗିଛି। ତାଇଦ୍ୱାନ ଚିନ୍ଦା କରୁଛି ଯେ ଯଦି ସେମିକଣ୍ଡକ୍ଟର ତିଆରି ଇଞ୍ଜିନିୟର୍‌ ଏବଂ କାର୍ଯ୍ୟନିର୍ବାହୀମାନେ ଚାଇନାକୁ ଯାଆନ୍ତି, ତେବେ ସେମାନେ ମଧ୍ୟ ଚାଇନା ସହ ମିଶି ଗୁପ୍ତଚରୀ କାର୍ଯ୍ୟ କରିବେ। ଏହା ସହିତ ତାଇୱାନ ପାଇଁ ଆର୍ଥିକ କ୍ଷତି ମଧ୍ୟ ସୃଷ୍ଟି ହେବାର ଆଶଙ୍କା ରହିଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଜାଣତରେ ଏଭଳି ହେଉଥିବା କୁହାଯାଉଛି।

ଏହା ପୂର୍ବରୁ ତାଇୱାନର ଟ୍ରେଡ୍‌ ସିକ୍ରେଟ୍‌କୁ ବାହାରକୁ ନ ଯିବା ଲାଗି ରୋକିବା ପାଇଁ ଚାଇନା ପକ୍ଷରୁ ଦେଶର ଜାତୀୟ ସୁରକ୍ଷା ଆଇନକୁ ଆହୁରି ମଜବୁତ କରିବାକୁ କ୍ୟାବିନେଟରେ ପ୍ରସ୍ତାବ ଆଗତ ହୋଇଥିଲା ବୋଲି ଗଣମାଧ୍ୟମ ସଂସ୍ଥା ଅଲ ଜଜିରା ରିପୋର୍ଟ କରିଛି। ଏହା ବ୍ୟତୀତ ଅର୍ଥକୈତିକ ଗୁପ୍ତଚରୀ ସହିତ ଜଡ଼ିତ ବ୍ୟକ୍ତି ବିଶେଷଙ୍କୁ ଜାତୀୟ ଆଇନ ଅନୁଯାୟୀ କଠୋର ଦଣ୍ଡ ମଧ୍ୟ ଦିଆଯାଇପାରେ। ପ୍ରସ୍ତାବ ଅନୁଯାୟୀ, ଏହି ଅପରାଧରେ ଜଡିତ ଥିବା ବ୍ୟକ୍ତିଙ୍କୁ ୧୦-୧୨ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ଦିଆଯାଇପାରେ ଏବଂ ଜୋରିମାନା ମଧ୍ୟ ଲାଗୁ କରାଯିବ।

ତାଇୱାନ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ସମଗ୍ର ପୃଥିବୀରେ ଶୀର୍ଷରେ ରହିଛି। ଏହା ପୃଥିବୀରେ ଉତ୍ପାଦିତ ହେଉଥିବା ମୋଟ ସେମିକଣ୍ଡକ୍ଟରର ଅଧାରୁ ଅଧିକ ଉତ୍ପାଦନ କରିଥାଏ। ତାଇପେଇର ନ୍ୟାଶନାଲ ୟାଙ୍ଗ ମିଙ୍ଗ ଚିଆଓ ଟୁଙ୍ଗ ୟୁନିଭରସିଟିର ଅନ୍ତର୍ଜାତୀୟ ସମ୍ପର୍କର ସହଯୋଗୀ ପ୍ରଫେସର ଏରିକ ୟି-ହଙ୍ଗ ଚିୟୁ କହିଛନ୍ତି ଯେ ୨୦୨୦ରେ ତାଇୱାନର ରପ୍ତାନୀର ୩୫ ପ୍ରତିଶତ ଅଂଶ କେବଳ ସେମିକଣ୍ଡକ୍ଟର ଥିଲା। ଏକ ଦଶନ୍ଧି ପୂର୍ବରୁ ଏହା ୧୮ ପ୍ରତିଶତରେ ଥିଲା।

Share