Categories: ଜାତୀୟ

ସୀମାରେ ଚାଇନାର ୫ଜି ଭିତ୍ତିଭୂମି

ନୂଆଦିଲ୍ଲୀ,୨୮ା୮(ଆଇଏଏନ୍‌ଏସ୍‌): ଭାରତ-ଚାଇନା ସୀମା ବିବାଦ ଲାଗି ରହିଥିବାବେଳେ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)ରେ ବେଜିଂ ପଞ୍ଚମ ପିଢ଼ି ଓ୍ବାୟରଲେସ୍‌ ଟେକ୍ନୋଲେଜି ୫ଜି ଭିତ୍ତିଭୂମି ପ୍ରତିଷ୍ଠା କରିଛି। ସମ୍ପୃକ୍ତ ଅଞ୍ଚଳରେ ଚାଇନା ଫାଇବର ଅପ୍ଟିକ୍ସ କେବୁଲ ବିଛାଇବା ସହ ଅନ୍ୟ ଉପକରଣ ଇନ୍‌ଷ୍ଟଲ କରିଛି। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ପାଙ୍ଗୋଙ୍ଗ୍‌ ହ୍ରଦ ନିକଟରେ ବାରାକ୍‌ ଓ ଅନ୍ୟାନ୍ୟ ନିର୍ମାଣରେ ନିୟୋଜିତ ଥିବା ଦେଖିବାକୁ ମିଳିଛି, ଯାହାକି ଭାରତ ପାଇଁ ଚିନ୍ତାର କାରଣ ହୋଇଛି।
ଗତ ମେ’ ପ୍ରାରମ୍ଭରେ ସୀମାରେ ଭାରତ-ଚାଇନା ମୁହଁାମୁହିଁ ହୋଇଥିଲେ। ଜୁନ୍‌ ୧୫ରେ ଲଦାଖର ଗଲଓ୍ବାନ ଉପତ୍ୟକାରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଭାରତୀୟ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେ ସୈନ୍ୟ ମୃତାହତ ହୋଇଥିଲେ ତାହା ଅଦ୍ୟାବଧି ଜଣାପଡ଼ିନାହିଁ। ବିଭିନ୍ନ ପର୍ଯ୍ୟାୟରେ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ସେନା ପ୍ରତ୍ୟାହାର ଆରମ୍ଭ ହୋଇଥିଲା। ଇତିମଧ୍ୟରେ ଅଗଷ୍ଟ ପ୍ରଥମ ସପ୍ତାହରେ ଏଲ୍‌ଏସି ସଂଲଗ୍ନ ବିବାଦୀୟ ଅଞ୍ଚଳ ଡେମଚୋକ୍‌ରେ ଚାଇନା ପକ୍ଷରୁ ୫ଜି ନେଟ୍‌ଓ୍ବର୍କ ପାଇଁ ଭିତ୍ତିଭୂମି ନିର୍ମାଣ କରାଯାଉଥିବା ଭାରତର ଗୋଇନ୍ଦା ସଂସ୍ଥାଗୁଡ଼ିକ ଜାଣିବାକୁ ପାଇଥିଲେ। ସେଠାରେ ନୂଆ ସ୍ପେକ୍ଟ୍ରମ୍‌ ବ୍ୟାଣ୍ଡଓ୍ବିଥ୍‌ସ ନିର୍ମାଣ ସହ ସେଲୁଲାର ଟ୍ରାନ୍ସମିଶନ ଟେକ୍ନୋଲୋଜି ବିକାଶ କରାଯାଉଥିବା ଜଣାପଡ଼ିଛି। ଚାଇନା ସୈନ୍ୟ ପଛଘୁଞ୍ଚା ଦେବା ଆରମ୍ଭ କରିଥିଲେ ମଧ୍ୟ ପାଙ୍ଗୋଙ୍ଗ୍‌ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ନୂଆ ନିର୍ମାଣ କରାଯାଇଛି। ଦୁଇଦେଶ ମଧ୍ୟରେ ସୀମା ବିବାଦକୁ ନେଇ ଆଲୋଚନା ଜାରି ରହିଥିବାବେଳେ ଏସବୁ ଦେଖିବାକୁ ମିଳିଛି। ଏହାକୁ ନେଇ ଗୋଇନ୍ଦା ସଂସ୍ଥାଗୁଡ଼ିକ ସେନାକୁ ସତର୍କ କରାଇଛନ୍ତି।

୪ ସୁଦ୍ଧା ସାମରିକ କାର୍ଯ୍ୟାନୁଷ୍ଠାନ

ସେପ୍ଟେମ୍ବର ୪ ତାରିଖ ସୁଦ୍ଧା କୌଣସି ସମୟରେ ତାଇଓ୍ବାନର ଉତ୍ତର ଭାଗରେ ଆକ୍ରମଣ ହେବ ବୋଲି ଶୁକ୍ରବାର ଚାଇନା ଧମକ ଦେଇଛି। ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ର ଉପରେ କୌଣସି ପ୍ରକାର ସାମରିକ କାର୍ଯ୍ୟାନୁଷ୍ଠାନ କଲେ ପରିଣାମ ଭୟାବହ ହେବ ବୋଲି ତାଇପେଇ ଚେତାବନୀ ଦେଇଛି।
ଶି ଜିନ୍‌ପିଙ୍ଗ୍‌ ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସରେ ଉଲ୍ଲେଖ କରାଯାଇଛି ଯେ, ଚାଇନାର ସାମୁଦ୍ରିକ ନିରାପତ୍ତା ପ୍ରଶାସନ ଶୁକ୍ରବାରଠାରୁ ସେପ୍ଟେମ୍ବର ୪ ଭିତରେ ବୋହାଇ ପ୍ରଣାଳୀ ଓ ୟଲୋ ସି ମଧ୍ୟରେ ସେନା କାର୍ଯ୍ୟାନୁଷ୍ଠାନ ନେବ। ଏଥିରେ ଆହୁରି ଦାବି କରାଯାଇଛି ଯେ, ବେଜିଂ ପକ୍ଷରୁ ‘ନୋ ଫ୍ଲାଇଂ ଜୋନ୍‌’ ଭାବେ ଘୋଷିତ ବୋହାଇ ସାଗରର ଉତ୍ତର ଉପକୂଳରେ ମଙ୍ଗଳବାର ସମରାଭ୍ୟାସ ବେଳେ ଆମେରିକାର ସ୍ପାଏ ପ୍ଲେନ୍‌ ୟୁ-୨ ପଶିଆସିଥିଲା। ଚାଇନା ପକ୍ଷରୁ ତାକୁ ଧ୍ୱଂସ କରାଯାଇଛି।

Share