ବେଜିଂ,୧୫।ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚାଇନା ଗସ୍ତରେ ଅଛନ୍ତି। ପଶ୍ଚିମ ଏସିଆ ସଙ୍କଟ ମଧ୍ୟରେ ଟ୍ରମ୍ପଙ୍କ ଏହି ଚାଇନା ଯାତ୍ରା ଉପରେ ସାରା ବିଶ୍ୱର ନଜର ରହିଛି। ଗୁରୁବାର ଡୋନାଲ୍ଡ ଟ୍ରମ୍ପ ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ସାକ୍ଷାତକାର ହୋଇଥିଲା। ଜିନପିଙ୍ଗଙ୍କୁ ଭେଟିବା ପରେ ଟ୍ରମ୍ପଙ୍କ ସ୍ବର କିଛିଟା ବଦଳିଥିବା ଦେଖିବାକୁ ମିଳିଛି। ଚାଇନାରେ ଟ୍ରମ୍ପ ଜିନପିଙ୍ଗଙ୍କର ବହୁତ ପ୍ରଶଂସା କରିଛନ୍ତି। ଜିନପିଙ୍ଗଙ୍କୁ ଜଣେ ମହାନ ନେତା ବୋଲି କହିବା ସହ ତାଙ୍କୁ ଜଣେ ଭଲ ବନ୍ଧୁ ବୋଲି ମଧ୍ୟ ସମ୍ବୋଧନ କରିଛନ୍ତି।
କିନ୍ତୁ ଏହାର ଠିକ ବିପରୀତରେ ଡୋନାଲ୍ଡ ଟ୍ରମ୍ପଙ୍କୁ କିଛିଟା ଅପମାନ ସହିବାକୁ ପଡ଼ିଛି। ହଁ, ସି ଜିନପିଙ୍ଗ ଟ୍ରମ୍ପଙ୍କ ସମ୍ମୁଖରେ ଆମେରିକାକୁ ଏକ “ଡିକ୍ଲାଇନିଂ ନେସନ” (Declining Nation) ବା ଅବନତି ଆଡ଼କୁ ଯାଉଥିବା ଦେଶ ବୋଲି କହିଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଟ୍ରମ୍ପ ମଧ୍ୟ ଜିନପିଙ୍ଗଙ୍କ ଏହି କଥା ସହ ଏକମତ ହେଉଥିବା ଦେଖାଯାଇଛି।
ବେଜିଂରେ ହୋଇଥିବା ଏହି ହାଇ-ପ୍ରୋଫାଇଲ ବୈଠକରେ ଜିନପିଙ୍ଗ ଯେଉଁଭଳି ଭାବରେ ଆମେରିକାକୁ “ପତନ ଆଡ଼କୁ ଯାଉଥିବା ଦେଶ” ବୋଲି କହିଲେ, ତାହା ଟ୍ରମ୍ପଙ୍କ ପାଇଁ ଏକ ବଡ଼ କୂଟନୈତିକ ଝଟକା ବୋଲି କୁହାଯାଉଛି। ତେବେ ଟ୍ରମ୍ପ ଏହି ବୟାନର ଏକ ଭିନ୍ନ ଅର୍ଥ ବୁଝାଉଛନ୍ତି।
ଟ୍ରମ୍ପ ସଫେଇ ଦେଇ କହିଛନ୍ତି, ଜିନପିଙ୍ଗଙ୍କ ଏହି ବୟାନ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ କାର୍ଯ୍ୟକାଳ ପାଇଁ ଉଦ୍ଦିଷ୍ଟ ଥିଲା। ଟ୍ରମ୍ପ ଯୁକ୍ତି ବାଢ଼ିଛନ୍ତି ଯେ, ଜିନପିଙ୍ଗ ବାଇଡେନଙ୍କ ଶାସନ କାଳରେ ଆମେରିକାର ଯେଉଁ କ୍ଷତି ହୋଇଛି, ସେହି ସ୍ଥିତିକୁ ଲକ୍ଷ୍ୟ କରି ଏହା କହିଛନ୍ତି, ତାଙ୍କ ନିଜ ପ୍ରଶାସନ ପାଇଁ ନୁହେଁ। ସେ ପୁଣିଥରେ କ୍ଷମତାକୁ ଆସିବା ପରେ ଆମେରିକା ପୁଣିଥରେ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଆର୍ଥିକ ଏବଂ ସାମରିକ ଶକ୍ତିରେ ପରିଣତ ହୋଇଛି।