Categories: ଜାତୀୟ

ନଭେମ୍ବର-ଡିସେମ୍ବରରେ ଭୟରେ ଥରିବ ଚାଇନା

ନୂଆଦିଲ୍ଲୀ, ୨୦।୧୦: ନଭେମ୍ବର ଏବଂ ଡିସେମ୍ବର ମାସରେ ଚାଇନା ଭୟରେ ଥରିବ ବୋଲି କୁହାଯାଉଛି। ନଭେମ୍ବରରେ ବଙ୍ଗୋପ ସାଗର ଏବଂ ଆରବ ସାଗରରେ ମାଲାବାର ନୌସେନା ଯୁଦ୍ଧାଭ୍ୟାସ କରାଯିବ। ଏଥିରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଯୋଗଦେବେ। ଏହି ଯୁଦ୍ଧାଭ୍ୟାସରେ ଅଷ୍ଟ୍ରୋଲିଆ ଯୋଗଦେବା ପାଇଁ ଅନୁରୋଧ କରିବା ପରେ ଅନୁମତି ପ୍ରଦାନ କରାଯାଇଛି। ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବଢୁଥିବାବେଳେ ଅଷ୍ଟ୍ରେଲିଆକୁ ମାଲାବାର ଯୁଦ୍ଧାଭ୍ୟାସରେ ସାମିଲ କରାଯିବା ନେଇ ଅନ୍ତର୍ଜାତୀୟସ୍ତରରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏଭଳି ଯୁଦ୍ଧାଭ୍ୟାସ ଯୋଗୁ ଚାଇନାର ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ଡିସେମ୍ବରରେ ଭାରତ ଏବଂ ଆମେରିକା ମଧ୍ୟରେ ଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି କୁହାଯାଉଛି। ପୂର୍ବରୁ ଦୁଇଦେଶ ମଧ୍ୟରେ ଏଭଳି ୨ ଥର ଆଲୋଚନା ହୋଇସାରିଛି। ଏବେ ତୃତୀୟ ଥରର ଆଲୋଚନାର ଫଳାଫଳ ନେଇ ଚାଇନା ଆଖିରୁ ନିଦ ହଜିବାରେ ଲାଗିଛି। ଏହି ଆଲୋଚନାରେ ଯୋଗଦେବା ପାଇଁ ଆମେରିକା ବହିର୍ବ୍ୟାପାର ମନ୍ତ୍ରୀ ମାଇକ୍‌ ପୋମ୍ପିଓ ଏବଂ ପ୍ରତିରକ୍ଷା ମନ୍ତ୍ରୀ ମାର୍କ ଏସ୍ପର ଭାରତ ଆସିବେ। ଏହି ଆଲୋଚନାରେ ଦ୍ୱିପାକ୍ଷିକ ସୈନ୍ୟ ସହଯୋଗ ସହିତ ପ୍ରତିରକ୍ଷା ସରଞ୍ଜାମ କିଣା ସମ୍ପର୍କରେ ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଏହି ଅବସରରେ ଦୁଇଦେଶ ମଧ୍ୟରେ ବେସିକ୍‌ ଏକ୍ସଜେଞ୍ଜ୍‌ ଆଣ୍ଡ୍‌ କୋପରେଶନ ଏଗ୍ରିମେଣ୍ଟ୍‌୍‌(ବିଇସିଏ) ହେବାର ଆଶା ରହିଛି। ଏଥିରେ ସ୍ବାକ୍ଷର କରିବାକୁ ଭାରତ ଏବଂ ଆମେରିକା ଉଭୟ ରାଜି ଅଛନ୍ତି। ଭାରତ ଆମେରିକାଠାରୁ ମାନବ ରହିତ ବିମାନ ଏମ୍‌କ୍ୟୁ-୯-ବି କିଣିବା ନେଇ ଚୁକ୍ତି ହେବାର ଆଶା ମଧ୍ୟ ରହିଛି। ଏହାଦ୍ୱାରା ଏଲ୍‌ଏସିରେ ଭାରତର ପ୍ରତିରକ୍ଷା ଶକ୍ତି ବୃଦ୍ଧି ପାଇପାରିବ। ସେହିପରି ଆଲୋଚନାରେ ଲେମୋଆ ଏବଂ କୋମକାସା ଭଳି ଚୁକ୍ତି ହେବାର ସମ୍ଭାବନା ରହିଛି। ଲେମୋଆ ବୁଝାମଣା ଦ୍ୱାରା ଦୁଇଦେଶ ଆବଶ୍ୟକ ସମୟରେ ପରସ୍ପରର ବିମାନ ବନ୍ଦରର ବ୍ୟବହାର କରିପାରିବେ। ସେହିପରି କୋମକାସା ବୁଝାମଣା ଦ୍ୱାରା ଭାରତ ଆମେରିକାର ଅତ୍ୟାଧୁନିକ ପ୍ରତିରକ୍ଷା ଜ୍ଞାନକୌଶଳର ଉପଯୋଗ କରିପାରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଜନାବଦ୍ଧ ରଣନୀତି ସମ୍ମୁଖରେ ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କ ଯୋଜନା ଫସର ଫାଟିବାରେ ଲାଗିଛି। ଚାଇନା ପାକିସ୍ତାନ ହାତ ଧରି ଏଲ୍‌ଏସି ଏବଂ ଏଲ୍‌ଓସିରେ ଉତ୍ତେଜନା ସୃଷ୍ଟି କରୁଥିବାବେଳେ ଭାରତ କୂଟନୀତି ସଫଳ ହେବାରେ ଲାଗିଥିବା ନେଇ ଚର୍ଚ୍ଚା ହେଉଛି।

Share