ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଚାଇନା ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଚାଇନା ମଧ୍ୟସ୍ଥି ଭୂମିକା ଗ୍ରହଣ କରିବା ବୋଲି ଘୋଷଣା କରିଛି। ସୋମବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି। ଆବଶ୍ୟକତା ପଡ଼ିଲେ ଚାଇନା ମଧ୍ୟସ୍ଥା କରିବାକୁ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ୟୁକ୍ରେନର ସଙ୍କଟର ସମାଧାନ କରିବା ଲାଗି ଚାଇନା ସବୁକିଛି କରିବ। ଅନ୍ୟପଟେ ଚାଇନା ନିଜର ରେଡ୍‌ କ୍ରସ ୟୁକ୍ରେନକୁ ଖୁବ ଶୀଘ୍ର ସହାୟତା ପାଇଁ ପଠାଇବାକୁ ଯାଉଛି। ରୁଷିଆ ସହିତ ଚାଇନାର ବନ୍ଧୁତା ଏବେ ବି ମଜ୍‌ଭୁତ ରହିଛି ବୋଲି ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ସୋମବାର ପୁଣିଥରେ ୟୁକ୍ରେନ ଏବଂ ରୁଷିଆର ପ୍ରତିନିଧୀମାନେ ଏକାଠି ହୋଇ ଶାନ୍ତି ଆଲୋଚନା କରିବେ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ୫ଟାରେ ଏହି ତୃତୀୟ ପର୍ଯ୍ୟାୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ରୁଷିଆ ୟୁକ୍ରେନର ୪ଟି ସହରରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରିଛି।

Share