ସ୍ପାଏ ଡ୍ରୋନ୍‌ ମୁତୟନ କରିବ ଚାଇନା

ଓ୍ବାଶିଂଟନ୍‌, ୨୦।୪: ଚାଇନା ମିଲିଟାରି ଖୁବ୍‌ଶୀଘ୍ର ଉଚ୍ଚ-ତୀବ୍ରତା ବିଶିଷ୍ଟ ଗୋଇନ୍ଦା ଡ୍ରୋନ୍‌ ମୁତୟନ କରିବାକୁ ଯୋଜନା କରୁଛି। ଲିକ୍‌ ହୋଇଥିବା ଆମେରିକୀୟ ମିଲିଟାରି ଡକ୍ୟୁମେଣ୍ଟରେ ଏହା ଉଲ୍ଲେଖ କରାଯାଇଛି। ଚାଇନା ମୁତୟନ କରିବାକୁ ଥିବା ଏହି ଡ୍ରୋନ୍‌ର ବେଗ ଶବ୍ଦର ବେଗଠାରୁ ୩ ଗୁଣା ଅଧିକ ବୋଲି କୁହାଯାଉଛି। ତେବେ ଏହି ଡ୍ରୋନ୍‌ ସାହାଯ୍ୟରେ ଚାଇନାର ସର୍ଭିଲାନ୍ସ ଅପରେଶନ୍‌ ସହଜ ହୋଇଯିବ। ନ୍ୟାଶନାଲ ଜିଓସ୍ପାଟିଆଲ ଇଣ୍ଟେଲିଜେନ୍ସର ତଥ୍ୟ ଅନୁଯାୟୀ, ତାଇଓ୍ବାନରେ ମୁତୟନ ଆମେରିକୀୟ ଯୁଦ୍ଧ ଜାହାଜ ଏବଂ ମିଲିଟାରି ବେସ୍‌ ଉପରେ ନଜର ରଖିବା ପାଇଁ ଚାଇନା ଉନ୍ନତ ଟେକ୍ନୋଲୋଜି ବ୍ୟବହାର କରୁଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ପିଏଲ୍‌ଏ ସେନା ଦ୍ୱାରା ୨୦୨୭ ସୁଦ୍ଧା ତାଇଓ୍ବାନ୍‌କୁ ବଳପୂର୍ବକ ହାସଲ କରିବାକୁ ଚାହୁଁଥିବାବେଳେ ଚାଇନା ତାଇଓ୍ବାନ ଉପରେ ଆକ୍ରମଣ କରିବାକୁ ଚାହୁଁ ନ ଥିବା ସେଣ୍ଟ୍ରାଲ ଇଣ୍ଟେଲିଜେନ୍ସ ଏଜେନ୍ସି (ସିଆଇଏ)ର ନିର୍ଦ୍ଦେଶକ ଓ୍ବିଲିୟମ୍‌ ଜେ. ବର୍ନର କହିଛନ୍ତି। ଚାଇନା ଯେ କୌଣସି ମୁହୂର୍ତ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିବା ନେଇ ତାଇଓ୍ବାନ ନିଜକୁ ଅସୁରକ୍ଷିତ ମନେ କରୁଥିବା ପ୍ରଘଟ ହୋଇଥିବା ଡକ୍ୟୁମେଣ୍ଟରେ କୁହାଯାଇଛି। ଆମେରିକା ମିଲିଟାରି ଡକ୍ୟୁମେଣ୍ଟ ପ୍ରଘଟ ନେଇ ଗତ ଗୁରୁବାର ୨୧ ବର୍ଷୀୟ ଏୟାର ନ୍ୟାଶନାଲ ଗାର୍ଡ ଜ୍ୟାକ୍‌ ଡୋଗଲାସ ଟେକ୍ସେରାଙ୍କୁ ଗିରଫ କରାଯାଇଛି।

Share