ନୂଆଦିଲ୍ଲୀ,୫।୬: ସମୁଦ୍ର ମଧ୍ୟରେ ଏକ ବିଶାଳ ଦ୍ୱୀପର କଳ୍ପନା କରନ୍ତୁ, ଯେଉଁଠାରେ ଅନେକ ଚାର୍ଜିଂ ଷ୍ଟେସନ ନିର୍ମାଣ କରାଯାଇଥିବ। ଯେଉଁଠାକୁ ସମୁଦ୍ର ଜାହାଜଗୁଡ଼ିକ ଆସିବେ ଏବଂ ନିଜର କଣ୍ଟେନରଗୁଡ଼ିକୁ ଅନ୍ୟ ଜାହାଜକୁ ମଧ୍ୟ ଟ୍ରାନ୍ସଫର କରିପାରିବେ। ଚାଇନା ଏହି କଳ୍ପନାକୁ ବାସ୍ତବତାରେ ରୂପାନ୍ତରିତ କରିବାକୁ ଯାଉଛି। ଚାଇନା ଏକ ବିଶାଳ, ନ୍ୟୁକ୍ଲିୟର-ପାୱାର୍ଡ (ପରମାଣୁ ଶକ୍ତି ଚାଳିତ) ଭାସମାନ ଦ୍ୱୀପର ବ୍ଲୁପ୍ରିଣ୍ଟ ଉପସ୍ଥାପନ କରିଛି।
‘ସାଉଥ ଚାଇନା ମର୍ଣ୍ଣିଂ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ଏହି ଦ୍ୱୀପଟି କଣ୍ଟେନର ଟ୍ରାନ୍ସଫର ଟର୍ମିନାଲ ଏବଂ ଜାହାଜଗୁଡ଼ିକ ପାଇଁ ଚାର୍ଜିଂ ଷ୍ଟେସନ ଭାବରେ କାମ କରିବ। ଏହି ଭାସମାନ ଟର୍ମିନାଲଟି ଅତ୍ୟାଧୁନିକ ‘ମଲ୍ଟନ ସଲ୍ଟ ରିଆକ୍ଟର’ (Molten Salt Reactor) ଦ୍ୱାରା ଚାଲିବ, ଯାହା ଲିକ୍ୱିଡ ସଲ୍ଟ (ତରଳ ଲୁଣ) କୁ ଇନ୍ଧନ ଏବଂ କୁଲାଣ୍ଟ (ଶୀତଳକ) ଉଭୟ ଭାବରେ ବ୍ୟବହାର କରିଥାଏ। ଏହି ରିଆକ୍ଟରଗୁଡ଼ିକ ପ୍ରଚୁର ପରିମାଣରେ ଥର୍ମାଲ ଏନର୍ଜି (ତାପଜ ଶକ୍ତି) ସଂରକ୍ଷିତ କରି ରଖିପାରିବେ।
ମଲ୍ଟନ ସଲ୍ଟ ରିଆକ୍ଟରରେ କୋର୍ (Core) ତରଳିଯିବାର ବିପଦ ନ ଥାଏ ଏବଂ ଏଥିରେ ସୱାଭାବିକ ଭାବରେ ସୁରକ୍ଷା ତଥା ନନ-ପ୍ରୋଲିଫରେସନ (ପରମାଣୁ ଅସ୍ତ୍ରଶସ୍ତ୍ରର ପ୍ରସାରକୁ ରୋକିବା) ର ଗୁଣ ରହିଥାଏ। ଏଥିରେ ୨୫,୦୦୦ ସିପିଂ କଣ୍ଟେନର ରଖିବାର କ୍ଷମତା ରହିବ।
ସରକାରୀ କମ୍ପାନୀ ‘ଚାଇନା ଷ୍ଟେଟ ସିପ୍ୱିଲ୍ଡିଂ କର୍ପୋରେସନ’ର ସବସିଡିଆରୀ ‘ଜିଆଙ୍ଗନ ସିପ୍ୟାର୍ଡ’ କହିଛି ଯେ, ଏହି କମ୍ପ୍ଲେକ୍ସ ଶୂନ୍ୟ-ନିର୍ଭମନ ସମୁଦ୍ର କଣ୍ଟେନର ଲଜିଷ୍ଟିକ୍ସ ପାଇଁ ଏକ ନୂଆ ଇକୋସିଷ୍ଟମ ସୃଷ୍ଟି କରିବ। କମ୍ପାନୀ ମଙ୍ଗଳବାର ଦିନ ଗ୍ରୀସ୍ରେ ଅନୁଷ୍ଠିତ ପ୍ରସିଦ୍ଧ ‘ପୋସିଡୋନିଆ ଇଣ୍ଟରନ୍ୟାସନାଲ ସିପିଂ ଏକ୍ଜିବିସନ’ରେ ନିଜର ଗ୍ରୀନ ମରାଇନ ଟ୍ରାନ୍ସପୋର୍ଟ ହବ କନସେପ୍ଟ (ଧାରଣା) ଘୋଷଣା କରିଛି। ଏଥିରେ ସିପିଂ, ପୋର୍ଟ (ବନ୍ଦର), ଶକ୍ତି ଉତ୍ପାଦନ ଏବଂ ଟ୍ରାନ୍ସସିପମେଣ୍ଟ ସାମିଲ ରହିଛି।