ବେଜିଂ,୧୫ା୪(ଏଜେନ୍ସି):ପାକିସ୍ତାନ ମଧ୍ୟସ୍ଥତାରେ ଇସ୍ଲାମାବାଦରେ ୨୧ ଘଣ୍ଟିଆ ଶାନ୍ତି ଆଲୋଚନାରୁ ନିଷ୍କର୍ଷ ନ ବାହାରିବାରୁ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ରେ ଆମେରିକା ଓ ଇରାନ୍ ପୁଣି ମୁହଁାମୁହଁି ହୋଇଛନ୍ତି। ଆମେରିକୀୟ ନୌସେନା ଏହି ଜଳପଥ ଦେଇ ମଧ୍ୟପ୍ରାଚ୍ୟର ସମସ୍ତ ଇରାନୀୟ ବନ୍ଦରକୁ ବନ୍ଦ କରିଦେଇଥିବାବେଳେ ତେହରାନ୍ ମଧ୍ୟ ଗଲ୍ଫ ଦେଶଗୁଡ଼ିକରେ ଥିବା ବନ୍ଦରଗୁଡ଼ିକୁ ବନ୍ଦ କରିବାକୁ ଚେତାବନୀ ଦେଇଛି। ଇତିମଧ୍ୟରେ ଆସନ୍ତା ସପ୍ତାହରେ ପୁନର୍ବାର ଇସ୍ଲାମାବାଦ ଆଲୋଚନା ହେବ ବୋଲି ସଙ୍କେତ ମିଳିଛି। କିନ୍ତୁ ହର୍ମୁଜ୍ ଦେଇ କ୍ରୁଡ୍ ଏବଂ ପ୍ରାକୃତିକ ବାଷ୍ପ ପରିବହନକାରୀ ଜାହାଜଗୁଡ଼ିକର ଚଳାଚଳ ବନ୍ଦ ରହିଛି।
ଚାଇନା ହେଉଛି ଇରାନୀୟ ତୈଳର ସବୁଠୁ ବଡ଼ କ୍ରେତା। ଯୁଦ୍ଧ ପୂର୍ବରୁ ଇରାନ୍ଠାରୁ ଚାଇନା ଦୈନିକ ପ୍ରାୟ ୧.୪ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ଆମଦାନୀ କରୁଥିଲା, ଯାହାକି ଇରାନ୍ର ମୋଟ ରପ୍ତାନିର ୮୦ରୁ ୯୦%। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନିର୍ଦ୍ଦେଶ ପରେ ଆମେରିକୀୟ ନୌସେନା ହର୍ମୁଜ୍ରେ ତୈଳ ପରିବହନ କରିବାକୁ ସୁଯୋଗ ଦେଉନାହିଁ। ଏହାକୁ ନେଇ ଜିନ୍ପିଙ୍ଗ୍ କ୍ଷୁବ୍ଧ ହୋଇଛନ୍ତି। ମଙ୍ଗଳବାର ୟୁଏଇର ଆବୁଧାବି କ୍ରାଉନ୍ ପ୍ରିନ୍ସ ଶେଖ୍ ଖାଲେଦ୍ ବିନ୍ ଜାୟେଦ୍ ଅଲ୍ ନହ୍ୟାନ୍ ବେଜିଂ ଗସ୍ତ କରି ଜିନ୍ପିଙ୍ଗ୍ଙ୍କୁ ଭେଟିଛନ୍ତି। ଏହି ଅବସରରେ ଜିନ୍ପିଙ୍ଗ୍ ପ୍ରଥମ ଥର ପାଇଁ ଆମେରିକା ବିରୋଧରେ ମୁହଁ ଖୋଲି ମଧ୍ୟପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକର ସାର୍ବଭୌମତ୍ୱକୁ ସମ୍ମାନ ଦେବାକୁ ପରାମର୍ଶ ଦେଇଛନ୍ତି। ଚାଇନା ଇରାନ୍କୁ ସମର୍ଥନ କରି ଆମେରିକା ବିରୋଧରେ କହିଛି, ଇରାନୀୟ ବନ୍ଦରଗୁଡ଼ିକୁ ଜାହାଜ ଚଳାଚଳରେ ବାଧା ସୃଷ୍ଟି କରନାହିଁ। ହର୍ମୁଜ୍ରେ ନାଭାଲ ବ୍ଲକେଡ୍ କରିବା ନେଇ ଆମେରିକାର ଅଧିକାର ନାହିଁ। ଏହି ଜଳପଥ ଚାଇନା ପାଇଁ ଖୋଲା ରହିଛି। ଅନ୍ୟ କୌଣସି ଦେଶ ଆମ ବ୍ୟାପାରରେ ହସ୍ତକ୍ଷେପ କରନ୍ତୁ ନାହିଁ। ସେହିପରି ଟ୍ରମ୍ପ୍ ଇରାନ୍କୁ ଚାଇନା ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଅଭିଯୋଗ ଆଣି ୫୦% ଟାରିଫ୍ କଷିବାକୁ ଚେତାବନୀ ଦେଇଥିଲେ। ଏହାକୁ ଚାଇନା ଖଣ୍ଡନ କରିଛି। ଇରାନ୍ ସହ ଆମର ବାଣିଜି୍ୟକ ସମ୍ପର୍କ ରହିଛି। ଆମେ ଏକ ଦାୟିତ୍ୱସମ୍ପନ୍ନ ଅସ୍ତ୍ର ରପ୍ତାନିକାରୀ ରାଷ୍ଟ୍ର। ଅନ୍ତର୍ଜାତୀୟ ଆଇନ ଓ ଉତ୍ତରଦାୟିତ୍ୱକୁ ସମ୍ମାନ ଦେଇ ବେଜିଂ ଅସ୍ତ୍ର ରପ୍ତାନି କରିଥାଏ ବୋଲି ଚାଇନା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ଗୁଓ ଜିଆକୁନ୍ କହିଛନ୍ତି।