ଲୋକଙ୍କ ଜୀବନ ସହ ଖେଳୁଛି ଚାଇନା: ବିନା ଟ୍ରାଏଲରେ ୧୦ ହଜାର ଲୋକଙ୍କୁ ଦେଲା କରୋନା ଟିକା!

ବେଜିଂ,୨୮ ।୯: ଗୋଟିଏ ପଟେ କରୋନା ସଂକ୍ରମଣରେ ସାରା ବିଶ୍ୱ ଦୋହଲି ଯାଇଥିବା ବେଳେ ଅନ୍ୟପଟେ ଏହି ମହାମାରୀ କବଳରୁ ରକ୍ଷା ପାଇବାକୁ ଟିକା ପ୍ରସ୍ତୁତି କାମରେ ଲାଗି ପଡିଛନ୍ତି ପ୍ରାୟ ସମସ୍ତ ବିକାଶଶୀଳ ଦେଶ । ହେଲେ ଚାଇନାରୁ ଆସିଥିବା ଏହି ଭାଇରସକୁ ନେଇ ଏବେବି ଚାଇନା ଖାମଖିଆଲ ନୀତି ଅବଲମ୍ବନ କରୁଥିବା ଦେଖାଯାଇଛି । ଶୁଣିବାକୁ ମିଳିଛି ବିନା ଟ୍ରାଏଲରେ ଏବେ ଚାଇନା ପାଖାପାଖି ୧୦ ହଜାର ଲୋକଙ୍କୁ କରୋନା ଟିକା ଦେଇଛି । ବିଶେଷ ସୂତ୍ରରୁ ମିଳିଥିବା ଖବରରୁ ଜଣାପଡିଛି କି ଚାଇନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଆବଶ୍ୟକ ସେବା ଯୋଗାଇ ଦେଉଥିବା ଲୋକେ, ଫାର୍ମାସ୍ୟୁଟିକାଲ ଫାର୍ମ, ସୁପର ମାର୍କେଟର କର୍ମଚାରୀ ଓ ଶିକ୍ଷକ ସମେତ ସଂକ୍ରମିତ ଅଞ୍ଚଳ ଗସ୍ତ କରୁଥିବା ଲୋକଙ୍କୁ ଚାଇନା ୩ଟି କରୋନା ଟିକା ଦେଇଛି । କୁହାଯାଉଛି କି ଅଧିକାରୀମାନେ ଔପଚାରିକ ପରୀକ୍ଷଣ ପୂର୍ବରୁ ଟିକାକୁ ବହୁ ଲୋକଙ୍କୁ ଦେଇ ଏହାର ଫଳାଫଳ ସମ୍ପର୍କରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଡ୍ରାଗନର ଏହି ପଦକ୍ଷେପକୁ ଦେଖି ସାରା ବିଶ୍ୱର ବିଶେଷଜ୍ଞମାନେ ଚିନ୍ତାରେ ପଡି ଯାଇଛନ୍ତି । ଏହାକୁ ନେଇ ବିଶେଷଜ୍ଞମାନେ କହିଛନ୍ତି ଚାଇନା ଏମିତି ଭାବେ ଭଲ ଟିକା ପ୍ରସ୍ତୁତ କରିଥିବା ଦାବି କରିପାରେ । ହେଲେ ଏହା ସିଧାସଳଖ ଲୋକଙ୍କ ଜୀବନ ସହ ଏକ ପ୍ରକାର ଖେଳ ଖେଳୁଛି ଚାଇନା । ଏମାନଙ୍କ ମତରେ ବିନା ମଞ୍ଜୁରୀ ପ୍ରାପ୍ତ ଟିକା ଲୋକଙ୍କୁ ଦେବା ଫଳରେ ଏହାଦ୍ୱାରା ନକରାତ୍ମକ ପ୍ରଭାବ ମଧ୍ୟ ପଡିପାରେ । ଏମିତିବି ହେଇଥାଇପାରେ ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇ ନ ଥିବ ଓ ଏହାଦ୍ୱାରା ପୁଣି ସଂକ୍ରମଣ ଆଶଙ୍କା ବୃଦ୍ଧି ପାଇବ । ତେବେ ମଞ୍ଜୁରୀ ପାଇବା ପରେ ଟିକା ପ୍ରଥମେ ସ୍ୱେସ୍ଥାସେବୀଙ୍କୁ ଦିଆଯିବା କଥା ହେଲେ ଚାଇନା ଏହାକୁ ସାଧାରଣ ଲୋକଙ୍କୁ ଦେବା ଅର୍ଥ ସେ ଲୋକଙ୍କ ଜୀବନ ସହ ସିଧାସଳଖ ଖେଳ ଖେଳୁଛି । ତେବେ ଏପର୍ଯ୍ୟନ୍ତ କେତେ ଲୋକଙ୍କୁ ଏହି ଟିକା ଦିଆଯାଇଛି ତାହା ଚାଇନା ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ । ହେଲେ ବେଜିଂ ସ୍ଥିତ କମ୍ପାନୀ ସିନୋବ୍ୟାକ ପହିଛି ସହରରେ ପାଖାପାଖି ୧୦ ହଜାର ଲୋକଙ୍କୁ ବିନା ଟ୍ରାଏଲରେ କରୋନା ଟିକା ଦିଆଯାଇଛି । ଏହାସହ ଉକ୍ତ କମ୍ପାନୀର ପାଖାପାଖି ୩ ହଜାର କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଏହି ଟିକା ଦିଆଯାଇଛି ।

Share