Categories: ଜାତୀୟ

ଭାରତୀୟ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷା କଲା ଚାଇନା

ଲେହ, ୧୮।୧୦: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଦୁଇପକ୍ଷଙ୍କ ମଧ୍ୟରେ ଶାନ୍ତି ଆଲୋଚନା ଉଦ୍ୟମ ବିଫଳ ହେଉଥିବାରୁ ଯୁଦ୍ଧ ଆଶଙ୍କା ଘନିଭୂତ ହେବାରେ ଲାଗିଛି। ଏପରିସ୍ଥଳେ ଚାଇନା ଭାରତ ସୀମାରେ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏବେ ଏହାକୁ ନେଇ ଏଲ୍‌ଏସି ସ୍ଥିତି ପୁଣି ଗମ୍ଭୀର ହେବାରେ ଲାଗିଛି। ଚାଇନା ଜାଣଶୁଣି ନିଜର ଶକ୍ତି ପ୍ରଦର୍ଶନ ଲାଗି ଏଭଳି କରିଛି। ଏଲ୍‌ଏସିରେ ସମୁଦ୍ର ପତ୍ତନଠାରୁ ୪୭ ୦୦ମିଟର ଉଚ୍ଚ ପାହାଡ଼ ଉପରେ ଚାଇନା ଯୁଦ୍ଧାଭ୍ୟାସ କରି କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଯୁଦ୍ଧାଭ୍ୟାସ ଚାଇନା ସୈନ୍ୟ ବାହିନୀର ତିବ୍ବତ ଥିଏଟର କମାଣ୍ଡ ପକ୍ଷରୁ କରାଯାଇଛି। ଭାରତ ଉପରେ ଚାପ ପକାଇବା ପାଇଁ ଚାଇନା ଏଭଳି କରିଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। କ୍ଷେପଣାସ୍ତ୍ର ପରୀକ୍ଷା ଯୋଗୁ ଲଦାଖର ପାହାଡ଼ ଥରି ଉଠିଥିଲା। ଚାଇନାର ସରକାରୀ ଗଣମାଧ୍ୟମ ସଂସ୍ଥା ଗ୍ଲୋବାଲ ଟାଇମ୍ସ୍‌ ଅନୁସାରେ ଏଠାରେ ଏହି ଯୁଦ୍ଧାଭ୍ୟାସରେ ୯୦ ପ୍ରତିଶତ ଆଧୁନିକ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇଛି। ଯୁଦ୍ଧାଭ୍ୟାସର ଏକ ମିନିଟ୍‌ ଏକ ସେକେଣ୍ଡର ଏକ ଭିଡ଼ିଓ ମଧ୍ୟ ଗ୍ଲୋବାଲ ଟାଇମ୍ସ୍‌ ପକ୍ଷରୁ ଟୁଇଟରରେ ଅପଲୋଡ୍‌ କରାଯାଇଛି।

Share