ଚାଇନା-ତାଇଓ୍ବାନ ଅବସ୍ଥା ବିଗୁଡୁଛି

ତାଇପେଇ,୫ା୧୦: ଚାଇନା ଏବଂ ତାଇଓ୍ବାନ ମଧ୍ୟରେ ଅବସ୍ଥା ବିଗଡ଼ିବାରେ ଲାଗିଛି। ଏହି ସମୟରେ ତାଇଓ୍ବାନର ପ୍ରତିରକ୍ଷା ମନ୍ତ୍ରୀ ଚିୟୁ କୁଓ-ଚେଙ୍ଗ ଚାଇନା ବିଷୟରେ ଏକ ବଡ଼ ବୟାନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ବୁଧବାର କହିଛନ୍ତି, ତାଇଓ୍ବାନ ଷ୍ଟ୍ରାଇଟ୍‌ରେ ଚାଇନା ଏକ ଅନୌପଚାରିକ ମଧ୍ୟମ ସୀମା ଅତିକ୍ରମ କରିଛି।

ଚାଇନାର ଏହି କାର୍ଯ୍ୟ ତାଇଓ୍ବାନ ସହିତ ସାମରିକ କାର୍ଯ୍ୟକଳାପ ଉପରେ ନୀରବ ଚୁକ୍ତିନାମାକୁ ନଷ୍ଟ କରିଦେଇଛି। ଚିୟୁ ତାଇଓ୍ବାନର ସଂସଦକୁ କହିଛନ୍ତି ଯେ, ଯଦି ଚାଇନା ‘ରେଡ୍‌ ଲାଇନ୍‌’ ଅତିକ୍ରମ କରେ ତେବେ ତାଇଓ୍ବାନ ଏହାର ଜବାବ ଦେବାକୁ ବାଧ୍ୟ ହେବ।

ସୂଚନାଯୋଗ୍ୟ, ଅଗଷ୍ଟରେ ଆମେରିକାର ଲୋକସଭା ବାଚସ୍ପତି ନାନ୍ସି ପେଲୋସୀଙ୍କ ତାଇଓ୍ବାନ ଗସ୍ତ ପରେ ଚାଇନା କ୍ରମାଗତ ଭାବରେ ସାମରିକ ଅଭ୍ୟାସ କରି ତାଇଓ୍ବାନ ଉପରେ ଚାପ ପକାଇବାକୁ ଚେଷ୍ଟା କରିଥିଲା। ଚାଇନା ତାଇଓ୍ବାନକୁ ଏହାର ପ୍ରଦେଶ ବୋଲି ବିବେଚନା କରୁଥିବାବେଳେ ତାଇଓ୍ବାନ କହିଛି, ଏହା ଚାଇନାର ଅଂଶ ହୋଇନାହିଁ।

ଏହାପୂର୍ବରୁ ଆମେରିକା ବୈଦେଶିକ ବିଭାଗ ମଧ୍ୟ ଚାଇନା ସମ୍ପର୍କରେ ବିଷୟରେ ଏକ କଥା କହିଥିଲା। ତାଇଓ୍ବାନ ଷ୍ଟ୍ରାଇଟରେ ଚାଇନା ସ୍ଥିତି ପରିବର୍ତ୍ତନ କରିବାକୁ ଚାହୁଁଛି। ଏକ ଖବରଦାତା ସମ୍ମିଳନୀରେ ଆମେରିକାର ବୈଦେଶିକ ବିଭାଗ ମୁଖପାତ୍ର ନେଡ୍‌ ପ୍ରାଇସ କହିଛନ୍ତି, ଏହା ସ୍ପଷ୍ଟ ହୋଇଛି ଯେ ସ୍ଥିତି ପରିବର୍ତ୍ତନ କରିବାକୁ ଚାଇନା ଚାହୁଁଛି।

Share