Categories: ଜାତୀୟ

ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ଏବେ ଭାରତରେ: କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, ୯।୮: ଏବେ ଭାରତରେ ମଧ୍ୟ ଚାଇନାର ସନ୍ଦିଗ୍ଧ ମଞ୍ଜି ପ୍ୟାକେଟ ପହଞ୍ଚିଛି। ପ୍ୟାକେଟରେ ବିଭିନ୍ନ ପ୍ରକାର ଚାରା ମଞ୍ଜି ରହିଛି। ଏନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ରାଜ୍ୟ ସରକାରଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ଏଭଳି ସନ୍ଦିଗ୍ଧ ମଞ୍ଜିକୁ ବୁଣିବା ପାଇଁ ବାରଣ କରାଯାଇଛି। ଅନ୍‌ଲାଇନରେ କୌଣସି ଅର୍ଡର କରି ନ ଥିଲେ ମଧ୍ୟ ଏସବୁ ମଞ୍ଜି ଅଚାନକ ଲୋକଙ୍କ ପାଖରେ ପହଞ୍ଚିଥିବା ଲୋକେ ଅଭିଯୋଗ କରୁଛନ୍ତି। କେନ୍ଦ୍ରୀୟ କୃଷି ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ସତର୍କ ସୂଚନା ମଧ୍ୟ ଜାରି କରାଯାଇଛି। ଫେଡ଼େରେଶନ୍‌ ଅଫ୍‌ ସିଡ୍‌ ଇଣ୍ଡଷ୍ଟ୍ରି ଅଫ୍‌ ଇଣ୍ଡିଆର ମହାନିର୍ଦ୍ଦେଶକ ରାମ କୋଣ୍ଡିନ୍ୟ କହିଛନ୍ତି ଯେ, ଏଭଳି ସନ୍ଦିଗ୍ଧ ମଞ୍ଜି ପ୍ୟାକେଟଠାରୁ ଦୂରେଇ ରହିବା ଆବଶ୍ୟକ। ଏହି ମଞ୍ଜିକୁ ଲଗାଇବା ହୁଏତ କ୍ଷତିକାରକ ହୋଇପାରେ ବୋଲି କୁହାଯାଇଛି। ଏହା ଦେଶୀ ପ୍ରଜାତିକୁ ବିସ୍ଥାପିତ କରିଦେବାର ଆଶଙ୍କା ରହିଛି। ଏଭଳି ମଞ୍ଜି ପ୍ୟାକେଟ ଆମେରିକା, ବ୍ରିଟେନ୍‌, କାନାଡ଼ା ଏବଂ ଜାପାନରେ ମଧ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି। ଆମେରିକାର ୨୨ଟି ପ୍ରଦେଶରେ ଏଭଳି ପ୍ୟାକେଟ୍‌ ଲୋକଙ୍କ ପାଖରେ ପହଞ୍ଚିଛି। ଏଠାରେ ଲୋକଙ୍କ ପାଖରେ ପନିପରିବା, ଫଳ, ଜଡ଼ି ବୁଟି ଆଦି ପ୍ୟାକେଟ ମଧ୍ୟ ପହଞ୍ଚିଛି।

Share