Categories: ଜାତୀୟ

ଯୁଦ୍ଧ ପରିସ୍ଥିତି ଉପୁଜିଲେ ଏକାଠି ହୋଇପାରନ୍ତି ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨।୭: ବାସ୍ତବିକ ନିୟନ୍ତ୍ରଣ ରେଖା ବା ଏଲ୍‌ଏସିରେ ଭାରତ-ଚାଇନା ମଧ୍ୟରେ ଉପୁଜିଥିବା ବିବାଦ ବଢିବାରେ ଲାଗିଛି। ଅନ୍ୟପଟେ ପାକିସ୍ତାନ ସୀମାରେ ଯେମିତି କିଛି ଅସୁବିଧା ଦେଖା ନ ଯାଉ ସେଥିପ୍ରତି ମଧ୍ୟ କଡା ନଜର ରଖିଛି ଭାରତୀୟ ସେନା। ଏହି ସୀମାଦେଇ ଯେଭଳି ଅନୁପ୍ରବେଶ ନ ହୋଇ ପାରୁ ସେଥିପ୍ରତି ସେନା ସଜାଗ ରହିଛି। ଏମିତି ହେଲେ ଉଭୟ ପଟର ବିବାଦକୁ ରୋକାଯାଇ ପାରିବ ବୋଲି କୁହାଯାଉଛି। ଗତ ପ୍ରାୟ ଏକ ଦଶକ ହେବ ପ୍ରତିରକ୍ଷା ସମ୍ପର୍କିତ ସଂସଦୀୟ ସ୍ଥାୟୀ ସମିତି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏକ ରିପୋର୍ଟରୁ ଜଣାପଡିଛି ଯଦି ଯୁଦ୍ଧ ପରିସ୍ଥିତି ଉପୁଜେ ତେବେ ଚାଇନା-ପାକିସ୍ତାନ ଏକାଠି ହୋଇପାରନ୍ତି। ଯଦି ଭାରତ ବିରୋଧରେ ଚାଇନା ଆକ୍ରମଣାତ୍ମକ ଉଦ୍ୟମ କଲା ତେବେ ପାକିସ୍ତାନ ମଧ୍ୟ ଏହା କରିବାକୁ ପଛାଇବ ନାହିଁ ବୋଲି କୁହାଯାଇଛି। ୨୦୧୪ରେ ଭାରତୀୟ ବାୟୁସେନାର ଜଣେ ବରିଷ୍ଠ ଅଧିକାରୀ ୨୦୧୪ ସମିତିକୁ ଏହି ତଥ୍ୟ ପ୍ରଦାନ କରିଥିଲେ। କିନ୍ତୁ ସେ କହିଥିଲେ ଭାରତ-ପାକିସ୍ତାନ ମଧ୍ୟରେ ଚାଇନା କେବେବି ଆସିବ ନାହିଁ। ଜଣେ ଅବସରପ୍ରାପ୍ତ କମାଣ୍ଡର ଲେପ୍ଟନାଣ୍ଟ ଜେନରାଲ ଡିଏସ୍‌ ହୁଡ୍ଡା କହିଛନ୍ତି, ୩ ନ୍ୟୁକ୍ଲିୟର ଦେଶ ଏକାସହ ଯୁଦ୍ଧ ନ କରିପାରନ୍ତି। କିନ୍ତୁ ଚାଇନା ଓ ପାକିସ୍ତାନ ମଧ୍ୟରେ ଦୃଢ ସେନା ସମ୍ପର୍କ ରହିଛି। ଅନ୍ୟପଟେ ଯୁଦ୍ଧ ପରିସ୍ଥିତି ପାଇଁ ଭାରତୀୟ ସେନା ସୀମାରେ ତା’ର ଶକ୍ତି ବୃଦ୍ଧି କରିବା ସହ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଥିବା ବିଶେଷ ସୂତ୍ରରୁ ଜଣାପଡିଛି।

Share