ଆମେରିକାକୁ ପଛରେ ପକାଇଲା ଚାଇନା

ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି ବୋଲି ମ୍ୟାନେଜମେଣ୍ଟ କନସୋଲେଟ୍‌ ମ୍ୟାକେଞ୍ଜି ଆଣ୍ଡ କମ୍ପାନୀ ରିପୋର୍ଟରେ ଦର୍ଶାଯାଇଛି। ଗତ ୨ ଦଶନ୍ଧିରେ ଦୁନିଆର ସମ୍ପତ୍ତି ୩ ଗୁଣା ବଢ଼ିଛି। ସେଥିରୁ ଏକ ତୃତୀୟାଂଶ କେବଳ ଚାଇନାର। ୧୦ ଦେଶର ଜାତୀୟ ସମ୍ପତ୍ତି ପୂରା ବିଶ୍ୱ ସମ୍ପତ୍ତିର ୬୦ ପ୍ରତିଶତ ରହିଛି। ୨୦୦୦ରେ ଦୁନିଆର ମୋଟ ସମ୍ପତ୍ତି ୧୫୬ ଟ୍ରିଲିୟନ ଡଲାର ଥିଲା। ୨୦୨୦ରେ ତାହା ୫୧୪ ଟ୍ରିଲିୟନ ଡଲାକୁ ବୃଦ୍ଧି ପାଇଛି। ଚାଇନାର ସମ୍ପତ୍ତି ୨୦୦୦ରେ ୭ ଟ୍ରିଲିୟନ ଡଲାର ଥିବାବେଳେ ସମାନ ସମୟରେ ତାହା ୧୨୦ ଟ୍ରିଲିୟନ ଡଲାରେ ପହଞ୍ଚିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ସମୟରେ ଆମେରିକାର ସମ୍ପତ୍ତି ୯୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି।
ଦୁଇ ଧନୀ ଦେଶ ଆମେରିକା ଏବଂ ଚାଇନାର ମୋଟ ସମ୍ପତ୍ତିର ଦୁଇ ତୃତୀୟାଂଶରୁ ଅଧିକ ଭାଗ ୧୦ ପ୍ରତିଶତ ସବୁଠାରୁ ଧନୀ ବ୍ୟକ୍ତିଙ୍କ ନିକଟରେ ରହିଛି। ଏହି ଧନୀଙ୍କ ସମ୍ବଳ କ୍ରମାଗତ ଭାବେ ବଢ଼ିଚାଲିଛି। ବିଶ୍ୱ ସମ୍ପତ୍ତିର ୬୮ ପ୍ରତିଶତ ରିୟଲ ଇଷ୍ଟେଟ୍‌ରେ ରହିଛି। ୧୦ ଦେଶର ବାଲାନ୍ସ ଶିଟ୍‌ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଦେଶଗୁଡ଼ିକ ଦୁନିଆର ୬୦ ପ୍ରତିଶତରୁ ଅଧିକ ଆୟ କରିଥାନ୍ତି। ଏଥିରେ ଚାଇନା, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜାପାନ, ମେକ୍ସିକୋ ଏବଂ ସ୍ବିଡେନ ସାମିଲ ରହିଛି।

Share