ଲଦାଖରେ ୨୮ ସ୍ଥାନର ନାମକରଣକୁ ଚାଇନାର ବିରୋଧ

ନୂଆଦିଲ୍ଲୀ, ୧୪ା୧୦: ଭାରତ କେନ୍ଦ୍ରଶାସିତ ଅଞ୍ଚଳ ଲଦାଖର ୨୮ଟି ରଣନୈତିକ ସ୍ଥାନର ନାମ ବଦଳାଇବାକୁ ନିଷ୍ପତ୍ତି ନେବା ପରେ ଚାଇନା ଏହାକୁ ବିରୋଧ କରିଛି। ବେଜିଂ ଭାରତର ଏହି ପଦକ୍ଷେପକୁ ବେଆଇନ ବୋଲି କହିବା ସହ ଦାବି କରିଛି ଯେ, ସୀମାର ପଶ୍ଚିମ କ୍ଷେତ୍ରର ଅଞ୍ଚଳଗୁଡ଼ିକ ସର୍ବଦା ଚାଇନା ଅଧୀନରେ ରହିଆସିଛି। ଏହାର ଜବାବରେ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ଦୃଢ଼ୋକ୍ତି ପ୍ରକାଶ କରି କହିଛି ଯେ, ଲଦାଖ ହେଉଛି ଭାରତର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଗତ ସପ୍ତାହରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ସରକାରୀ ମାନଚିତ୍ର ପ୍ରଣୟନ ଅଭିଯାନର ଏକ ଅଂଶ ଭାବରେ ଏହି ସ୍ଥାନଗୁଡ଼ିକର ମାନକ ନାମ ଘୋଷଣା କରିଥିଲା। ବେଜିଂରେ ଏକ ଗଣମାଧ୍ୟମ ସମ୍ମିଳନୀରେ ଏକ ପ୍ରଶ୍ନର ଜବାବ ଦେଇ ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଚାଇନା-ଭାରତ ସୀମାର ପଶ୍ଚିମ ସେକ୍ଟରରେ ଥିବା ସମ୍ପୃକ୍ତ ଅଞ୍ଚଳଗୁଡ଼ିକ ସର୍ବଦା ଚାଇନାର।
ଅକ୍ଟୋବର ୨ ତାରିଖରେ ଭାରତ ଭାରତୀୟ ମାନଚିତ୍ରରେ ଗୋଗ୍ରା ଏବଂ ହଟ୍‌ ସ୍ପ୍ରିଙ୍ଗ ଭଳି ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି) ନିକଟସ୍ଥ ପ୍ରମୁଖ ସୀମା ବିବାଦୀୟ ସ୍ଥାନଗୁଡ଼ିକୁ ମିଶାଇ ଲଦାଖର ୨୮ଟି କୌଶଳଗତ ସ୍ଥାନ ଏବଂ ଭୌଗୋଳିକ ଅଞ୍ଚଳକୁ ଔପଚାରିକ ଭାବେ ଚିହ୍ନଟ କରିଥିଲା। ଲଦାଖ ପ୍ରଶାସନ ସହିତ ପରାମର୍ଶ କରି ସରକାର ଏହି ପଦକ୍ଷେପ ନେଇଥିଲେ। ଯାହାକି ସରକାରୀ ମାନଚିତ୍ରକୁ ସୁବ୍ୟବସ୍ଥିତ କରିବା, ସଠିକ ପରିଚୟ ସୁନିଶ୍ଚିତ କରିବା ଏବଂ ସମ୍ବେଦନଶୀଳ ସୀମା ଅଞ୍ଚଳ ବିଷୟରେ ଜନସାଧାରଣଙ୍କ ସଚେତନତା ବୃଦ୍ଧି କରିବା ଉଦ୍ଦେଶ୍ୟରେ କରାଯାଇଛି।
ଭାରତ ଦ୍ୱାରା ଚିହ୍ନଟ ହୋଇଥିବା ଅନ୍ୟାନ୍ୟ ସ୍ଥାନଗୁଡ଼ିକ ହେଲା ଆଲିଶା ଗିରି, ବ୍ରାଙ୍ଗ୍ସା, ଚାପଚିଙ୍ଗାଲ ପାସ, କନିଷ୍କ ପିକ, କରୁଣ ପୀର ପର୍ବତ, କୁକ୍ସେଲ, ମାର୍ତଣ୍ଡ ଗିରି, ପାର୍ପିକ ଗ୍ଲେସିୟର୍‌, ସ୍କାମ୍ରି ଗ୍ଲେସିୟର୍‌, ଶାଚମିରିକ ପାସ, ଶ୍କୋର୍ଗା ଉପତ୍ୟକା, ଜୋରାୱର ପିକ, ଡେହ୍ରା କମ୍ପାସ, ଡ୍ରାକ କାର୍ପୋ, ଜୋଲ୍ମୋରି, କୁମାରାୟଣ ପଏଣ୍ଟ, ପାଙ୍ଗଲୁଙ୍ଗ, ରିଞ୍ଚେନ ଜାଙ୍ଗ୍ପୋ, ସାକ୍ୟାଶ୍ରୀ ଗିରି, ଗୁରୁ ରିଞ୍ଚୋପେ, ଶାମାଲ ଲୁଙ୍ଗ୍ପା, ୟାଙ୍ଗ୍ପା ନଦୀ, ମାର୍ପା ଲୋତ୍ସାବା ରି, ମିଲାରେପା କାଙ୍ଗ୍ରି, ଶିବା ରି ଏବଂ ମହେଶ୍ୱରା ରି। ୧୯୫୦ ଦଶକରେ ଶାମାଲ ଲୁଙ୍ଗ୍ପାକୁ ଏକ ପାଟ୍ରୋଲିଂ ଏବଂ ଷ୍ଟାଜିଂ ରୁଟ ଭାବରେ ବର୍ଣ୍ଣନା କରାଯାଇଥିଲା।
ଗୋଗ୍ରା ଏବଂ ହଟ ସ୍ପ୍ରିଙ୍ଗ ହେଉଛି ପ୍ରମୁଖ କୌଶଳଗତ ସ୍ଥାନଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ୨୦୨୦ ମସିହାରେ ଭାରତୀୟ ଏବଂ ଚାଇନା ସେନା ମଧ୍ୟରେ ହୋଇଥିବା ମୁହାଁମୁହିଁ ପରିସ୍ଥିତି ସମୟରେ ଏଗୁଡ଼ିକ ବିବାଦୀୟ ସ୍ଥାନ ଥିଲା। ଏଲ୍‌ଏସି ନିକଟରେ ଭାରତୀୟ ପାଟ୍ରୋଲିଂ ପାଇଁ ଏହି ସ୍ଥାନଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୦ ମେ’ ୫ ତାରିଖରେ ପ୍ୟାଙ୍ଗୋଙ୍ଗ ହ୍ରଦ ଅଞ୍ଚଳରେ ଭାରତୀୟ ଏବଂ ଚାଇନା ସେନା ମଧ୍ୟରେ ଏକ ହିଂସାତ୍ମକ ସଂଘର୍ଷ ପରେ ପୂର୍ବ ଲଦାଖ ସୀମା ବିବାଦ ଆରମ୍ଭ ହୋଇଥିଲା। ଉଭୟ ପକ୍ଷ ୨୦୨୨ ମସିହାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରିଥିଲେ।

Dharitri – Odisha’s No.1 Odia Daily

Share