Categories: ଜାତୀୟ

ଭାରତ ମହାସାଗରରେ ଯୁଦ୍ଧଜାହାଜ ମୁତୟନ କରିପାରେ ଚାଇନା

ନୂଆଦିଲ୍ଲୀ,୧।୧୨: ଚାଇନା ଏହାର ପ୍ରଥମ ବିଦେଶ ସାମରିକ ଘାଟି ଜିବୌଟିରେ ଯୁଦ୍ଧବିମାନବାହୀ ରଣତରୀ, ବୃହତ୍‌ ଯୁଦ୍ଧଜାହାଜ ଏବଂ ବୁଡ଼ାଜାହାଜ ମୁତୟନ କରିପାରେ। ଆମେରିକା କଂଗ୍ରେସରେ ପ୍ରତିରକ୍ଷା ବିଭାଗ ଦାଖଲ କରିଥିବା ବାର୍ଷିକ ରିପୋର୍ଟରୁ ଏହା ଜଣାପଡ଼ିଛି। ଭାରତୀୟ ନୌସେନା ଉପରେ ଏହାର ଗମ୍ଭୀର ପ୍ରଭାବ ପଡ଼ିପାରେ ବୋଲି କୁହାଯାଉଛି।

ଜିବୌଟିରେ ଥିବା ଚାଇନା ସାମରିକ ଘାଟି ସମ୍ପର୍କିତ ସାଟେଲାଇଟ୍‌ ଚିତ୍ର ୪ ମାସ ପୂର୍ବରୁ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେଠାରେ ଚାଇନା ନୌସେନାର ବିଶାଳ ଜାହାଜ ଲାଗିଥିବା ଦେଖାଯାଇଥିଲା। ପିଏଲ୍‌ଏ ନୌସେନା ଭାରତ ମହାସାଗରରେ ଯୁଦ୍ଧବିମାନବାହୀ ଜାହାଜ ମୁତୟନ କରିପାରେ ବୋଲି ଆମେରିକା ୨୦୧୭ରେ ସତର୍କ କରାଇଥିଲା। ସେବେଠାରୁ ଚାଇନା ଏହାର ଯୁଦ୍ଧବିମାନବାହୀ ରଣତରୀର ବିକାଶରେ ବ୍ୟସ୍ତ ରହିଛି ଏବଂ ୩ଟି କାର୍ଯ୍ୟକ୍ଷମ କରିଛି। ଭାରତ ପାଖରେ ଏବେ ମାତ୍ର ୨ଟି ଯୁଦ୍ଧବିମାନବାହୀ ଜାହାଜ ରହିଛି ଯାହାକି ଏପର୍ଯ୍ୟନ୍ତ ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ। ଜିବୌଟି ବେସ୍‌ରେ ଚାଇନା ନୌସେନା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ସାମରିକ ଯାନ ମହଜୁଦ୍‌ ରହିଥିବା ଜଣାପଡ଼ିଛି।

ଭାରତ, ଆମେରିକା ସମରାଭ୍ୟାସକୁ ବେଜିଂର ବିରୋଧ

ଉତ୍ତରାଖଣ୍ଡ ଅଉଲିରେ ଭାରତୀୟ ଓ ଆମେରିକୀୟ ସେନା ପକ୍ଷରୁ ୧୮ତମ ସମରାଭ୍ୟାସ ‘ଯୁଦ୍ଧ ଅଭ୍ୟାସ’ ଜାରି ରହିଛି। ଚାଇନା ଓ ଭାରତ ମଧ୍ୟରେ ଥିବା ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ଠାରୁ ୧୦୦ କି.ମି ଦୂରରେ ସମାରାଭ୍ୟାସ କରାଯାଉଥିବାବେଳେ ପଡ଼ୋଶୀ ଶତ୍ରୁ ରାଷ୍ଟ୍ର ଚାଇନା ଏହାକୁ ବିରୋଧ କରିଛି। ଏହାଦ୍ୱାରା ଏଲ୍‌ଏସିରେ ଶାନ୍ତି ରକ୍ଷା ପାଇଁ ୧୯୯୩ ଏବଂ ୧୯୯୬ରେ ଦୁଇ ଦେଶ ଭିତରେ ସ୍ବାକ୍ଷରିତ ଚୁକ୍ତି ଉଲଂଘନ କରାଯାଇଥିବା ଚାଇନା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ କହିଛନ୍ତି। ଏହି ସମରାଭ୍ୟାସ ଦୁଇ ସପ୍ତାହ ଧରି ଚାଲିବ।

Share