Categories: ଜାତୀୟ

ଭାରତୀୟ ଉପଗ୍ରହକୁ ଟାର୍ଗେଟ୍‌ କରୁଛି ଚାଇନା

ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନଷ୍ଟଚ୍ୟୁଟ୍‌(ସିଏଏସ୍‌ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା କେବଳ ଜମି ନୁହେଁ ଭାରତୀୟ ଉପଗ୍ରହକୁ ମଧ୍ୟ ଟାର୍ଗେଟ୍‌ରେ ରଖିଛି। ୨୦୧୭ରେ ଭାରତୀୟ ଉପଗ୍ରହ ଉପରେ ହୋଇଥିବା କମ୍ପୁଟର ନେଟ୍‌ଓ୍ବାର୍କ ଆକ୍ରମଣ ଉପରେ ତଥ୍ୟ ପ୍ରଦାନ କରାଯାଇଛି। ୨୦୧୨ରୁ ୨୦୧୮ ମଧ୍ୟରେ ଚାଇନା ପକ୍ଷରୁ ହୋଇଥିବା ବିଭିନ୍ନ ସାଇବର ଆକ୍ରମଣ ସମ୍ପର୍କରେ ୧୪୨ ପୃଷ୍ଠାର ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ୨୦୧୨ରେ ଜେଟ୍‌ ପ୍ରପୋଲଶନ ଲାବୋରେଟୋରୀ ଉପରେ ଚାଇନା ପକ୍ଷରୁ ହୋଇଥିବା ସାଇବର ଆକ୍ରମଣରେ ହ୍ୟାକର୍‌ ଜିପିଏଲ୍‌ ନେଟ୍‌ଓ୍ବାର୍କକୁ ନିଜ ନିୟନ୍ତ୍ରଣରେ ରଖିବା ଜ୍ଞାନକୌଶଳ ହାସଲ କରିପାରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଶତ୍ରୁ ଦେଶର ଏଭଳି ଆଚରଣର ମୁକାବିଲା ପାଇଁ ଭାରତ ଗତବର୍ଷ ଆଣ୍ଟି ସାଟେଲାଇଟ୍‌ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକଶିତ କରି ସାରିଛି। ଏହା ସହିତ ଶତ୍ରୁ ଦେଶର କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ଜ୍ଞାନକୌଶଳ ମଧ୍ୟ ଭାରତ ପାଖରେ ରହିଛି। ଚାଇନା ପାଖରେ ବିଭିନ୍ନ ପ୍ରକାର କାଉଣ୍ଟର-ସ୍ପେସ୍‌ ଜ୍ଞାନକୌଶଳ ରହିଛି ଯାହାକି କକ୍ଷପଥରେ ମଧ୍ୟ ଉପଗ୍ରହକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଚାଇନା ଟାର୍ଗେଟ୍‌ରେ ଆମେରିକାର ଉପଗ୍ରହ ରହିଥିବା ସିଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସିଏଏସ୍‌ଆଇ ଆମେରିକା ଗୃହମନ୍ତ୍ରୀ, ବାୟୁସେନା ମୁଖ୍ୟ, ମହାକାଶ ଗବେଷଣା ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏକ୍ସପର୍ଟ ରିସର୍ଚ୍ଚ ଏବଂ ଆନାଲିସିସ୍‌ ଯୋଗାଇ ଦେଇଥାଏ।

Share