Categories: ଜାତୀୟ

ଜଳ ଯୁଦ୍ଧ ପାଇଁ ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ,୨୪।୧: ପୂର୍ବ ଲଦାଖର ଏଲ୍‌ଏସିରେ ଭାରତ ଚାଇନା ମଧ୍ୟରେ ଉତ୍ତେଜନା ଥମିବାର ନା ଧରୁନି। ଏଠାରେ ଜାଣିଶୁଣି ଚାଇନା ସୀମା ବିବାଦକୁ ଅଧିକ ସଙ୍କଟ ଜନକ କରୁଛି। ଇତିମଧ୍ୟରେ ଦୁଇପକ୍ଷଙ୍କ ମଧ୍ୟରେ ୮ଥର କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇସାରିଛି। ତେବେ କୌଣସି ଫଳାଫଳ ମିଳିନି। ଏବେ ଚାଇନା ବ୍ରହ୍ମପୁତ୍ର ନଦୀରେ ବନ୍ଧ ବାନ୍ଧି ଜଳ ଯୁଦ୍ଧ ଷଡ଼ଯନ୍ତ୍ର ରଚିବାରେ ଲାଗିଛି। ଭାରତରେ ପ୍ରବେଶ ପରେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ବ୍ରହ୍ମପୁତ୍ର ଭାବେ ନାମିତ ହୋଇଥାଏ। ତେବେ ତିବ୍ବତ ପର୍ଯ୍ୟନ୍ତ ଏହି ନଦୀକୁ ଲୋକେ ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ କହିଥାନ୍ତି। ଚାଇନା ୟରଲୁଙ୍ଗ୍‌ ଜାଙ୍ଗ୍‌ବାଓ ନଦୀ ଉପରେ ବନ୍ଧ ନିର୍ମାଣ କରିବା ଲାଗି ଯୋଜନା କରିଛି। ଏହା ଦ୍ୱାରା ଭାରତ, ମ୍ୟାନ୍‌ମାର, ଥାଇଲାଣ୍ଡ, ଲାଓସ୍‌, କାମ୍ବୋଡ଼ିଆ, ଭିଏତ୍‌ନାମ୍‌ ଏବଂ ବାଂଲାଦେଶରେ ଜଳ ସଙ୍କଟ ସୃଷ୍ଟି ହେବାର ଆଶଙ୍କା ରହିଛି। ମୁଖ୍ୟତଃ ଭାରତ ଏବଂ ବାଂଲାଦେଶ ଏହାଦ୍ୱାରା ବିଶେଷ ଭାବେ ପ୍ରଭାବିତ ହେବେ। ସେହିପରି ଏହି ନଦୀ ବନ୍ଧ ଯୋଜନା ଦ୍ୱାରା ବିଭିନ୍ନ ସମୟରେ ଅଧିକ ଜଳ ଛଡ଼ାଯାଇ ନିମ୍ନ ଅବବାହିକାରେ ଭାରତର କେତେକ ରାଜ୍ୟରେ ବନ୍ୟା ସ୍ଥିତି ମଧ୍ୟ ସହଜରେ ସୃଷ୍ଟି କରାଯାଇ ପାରିବ। ଚାଇନା ଜାଣିଶୁଣି ଏଭଳି ନଦୀବନ୍ଧ ଯୋଜନା ଆରମ୍ଭ କରିଥିବା ଅଭିଯୋଗ ହେଉଛି। ଇତିମଧ୍ୟରେ ନଦୀବନ୍ଧ ଉପରେ ପରୀକ୍ଷା ନିରୀକ୍ଷା କରିବା ଲାଗି ଚାଇନା ଗତ ଡିସେମ୍ବରରେ ନଦୀରେ ସ୍ବାଭାବିକ ଭାବେ ସେକେଣ୍ଡ ପିଛା ପ୍ରଭାବିତ ହେଉଥିବା ୧୯୦୪ କ୍ୟୁବିକ୍‌ ଜଳକୁ ବନ୍ଦ କରି ଏହାକୁ ୧୦୦୦ କ୍ୟୁବିକ୍‌ ମିଟରରେ ସୀମିତ କରିଥିଲା। ନଦୀବନ୍ଧ ନିର୍ମାଣ କରାଗଲେ ଏଭଳି ଲଗାତାର କରାଯିବାର ଆଶଙ୍କା ଦେଖାଦେଇଛି। ଏହା ଦ୍ୱାରା ଭାରତ ସମେତ ଏହି ନଦୀ ସହିତ ଜଡ଼ିତ ଅନ୍ୟ ଦେଶର ମତ୍ସ୍ୟ ସମ୍ପଦ ଏବଂ କୃଷି କାର୍ଯ୍ୟ ଉପରେ ପ୍ରଭାବ ପଡ଼ିବାର ଅନୁମାନ କରାଯାଉଛି।

Share