ପ୍ରଧାନମନ୍ତ୍ରୀ ମୋଦିଙ୍କ ଅରୁଣାଚଳ ଗସ୍ତକୁ ନେଇ ରାଗିଗଲା ଚାଇନା

ବେଜିଂ,୧୧।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ସପ୍ତାହରେ ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବାରୁ ଚାଇନା ସୋମବାର ଭାରତ ନିକଟରେ ପ୍ରତିବାଦ ଜଣାଇଛି। ଅରୁଣାଚଳକୁ ଚାଇନା ନିଜର ଦାବି କରିଆସୁଥିବାବେଳେ ଭାରତର ପଦକ୍ଷେପ ସୀମା ପ୍ରସଙ୍ଗକୁ ଜଟିଳ କରିବ ବୋଲି ବେଜିଂ ଦୋହରାଇଛି। ଗତ ଶନିବାର ପ୍ରଧାନମନ୍ତ୍ରୀ ଅରୁଣାଚଳପ୍ରଦେଶ ଯାଇ ୧୩,୦୦୦ ଫୁଟ ଉଚ୍ଚତାରେ ନିର୍ମିତ ସେଲା ଟନେଲକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ରଣନୀତି ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ତାଓ୍ବାଙ୍ଗକୁ ଏହା ସବୁଦିନିଆ ସଂଯୋଗ ଯୋଗାଇଦେବା ସହ ଫ୍ରଣ୍ଟିୟର ଅଞ୍ଚଳକୁ ସେନା ଓ ଅସ୍ତ୍ରଶସ୍ତ୍ର ପରିବହନ ସହଜ ହୋଇପାରିବ। ୮୨୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟନେଲ ଆସାମର ତେଜପୁରକୁ ଅରୁଣାଚଳପ୍ରଦେଶର ଓ୍ବେଷ୍ଟ କାମେଙ୍ଗ ଜିଲାକୁ ସଂଯୋଗ କରୁଛି। ୧୩,୦୦୦ ଫୁଟ୍‌ ଉଚ୍ଚତାରେ ଏହା ବିଶ୍ୱର ଦୀର୍ଘତମ ବାଇଲେନ୍‌ ଟନେଲ। ଚାଇନା କ୍ରମାଗତ ଭାବେ ଅରୁଣାଚଳପ୍ରଦେଶକୁ ଦକ୍ଷିଣ ତିବ୍ବତ ଭାବେ ଦାବି କରିବା ସହ ସେଠାକୁ ଭାରତୀୟ ନେତାମାନଙ୍କ ଗସ୍ତକୁ ବିରୋଧ କରିଆସୁଛି। ଉକ୍ତ ଅଞ୍ଚଳକୁ ବେଜିଂ ଜାଙ୍ଗ୍‌ନାନ ଭାବେ ନାମିତ କରିଛି। ଅନ୍ୟପକ୍ଷରେ ଚାଇନାର ଦାବିକୁ ଭାରତ ପ୍ରତ୍ୟାଖ୍ୟାନ କରିଆସିଛି। ଅରୁଣାଚଳପ୍ରଦେଶ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ସେଠାର ବିଭିନ୍ନ ଅଞ୍ଚଳକୁ ଚାଇନା ନାମକରଣ କରିବାକୁ ମଧ୍ୟ ନୂଆଦିଲ୍ଲୀ ବିରୋଧ କରିଛି।

Share