Categories: ଜାତୀୟ

ଫିଙ୍ଗର ଅଞ୍ଚଳରୁ ଆଂଶିକ ସେନା ହଟାଇଛି ଚାଇନା

ନୂଆଦିଲ୍ଲୀ,୧୨ା୭: ଲଦାଖର ପଙ୍ଗଓଙ୍ଗ ହ୍ରଦ ନିକଟରେ ଥିବା ଫିଙ୍ଗର ୪ ଅଞ୍ଚଳରୁ ଚାଇନା ଆଂଶିକ ସୈନ୍ୟ ପ୍ରତ୍ୟାହାର କରିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ରରୁ ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଚାଇନା ନିର୍ମାଣ କାର୍ଯ୍ୟ ଚଳାଇଥିବା ପୂର୍ବ ଚିତ୍ରରୁ ଦେଖିବାକୁ ମିଳିଥିଲା। ଭାରତ ଓ ଚାଇନା ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ବେଳେ ସେଠାରେ ଚାଇନାର ଶତାଧିକ ଟେଣ୍ଟ ଓ କ୍ୟାମ୍ପ୍‌ ଥିଲା। ଏବେ ସେଠାରେ ବିଶେଷ ଗହଳି ଦେଖାଯାଉନାହିଁ। ତେବେ ଚାଇନା ସୈନ୍ୟ ସମ୍ପୂର୍ଣ୍ଣ ହଟିଥିବାର ସୂଚନା ମିଳିନାହିଁ, ଅର୍ଥାତ୍‌ ସେଠାରେ ଏପ୍ରିଲ ପୂର୍ବ ସ୍ଥିତି ଫେରିନାହିଁ। ଫିଙ୍ଗର ୪ର ପୂର୍ବରେ ୧୦ କିଲୋମିଟର ଦୂରରେ ଏକ ଜେଟି ନିକଟରେ ମୁତୟନ ଥିବା ଚାଇନାର ୧୧ ଫାଷ୍ଟ ଇଣ୍ଟରସେପ୍ଟର ବୋଟ୍‌କୁ ଅନ୍ୟତ୍ର ନିଆଯାଇଛି। ଭାରତ ଦାବି କରୁଥିବା ଅଞ୍ଚଳ ମଧ୍ୟରେ ଏହି ବୋଟ୍‌ ଥିଲେ। ଗତ ଶୁକ୍ରବାର ଦୁଇ ଦେଶ ମଧ୍ୟରେ ହୋଇଥିବା କୂଟନୈତିକ ଆଲୋଚନାରେ ଏଲ୍‌ଏସିରୁ ସମ୍ପୂର୍ଣ୍ଣ ସୈନ୍ୟ ପ୍ରତ୍ୟାହାର ଏବଂ ଉତ୍ତେଜନା ହ୍ରାସ ପାଇଁ ଉଭୟ ପକ୍ଷ ସହମତି ହୋଇଥିଲେ।

Share