Categories: ଜାତୀୟ

ଗଲ୍‌ଓ୍ବାନରେ ଭାରତର ୪୨୩ ମିଟର ଭିତରକୁ ପ୍ରବେଶ କରିଛି ଚାଇନା

ନୂଆଦିଲ୍ଲୀ,୩୦ା୬: ଚାଇନା ସୈନ୍ୟ ଗଲ୍‌ଓ୍ବାନ ଉପତ୍ୟକାରେ ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିବା ସହ ଉକ୍ତ ଅଞ୍ଚଳକୁ ଅକ୍ତିଆର କରି ରଖିଛି। ସାଟେଲାଇଟ୍‌ ଚିତ୍ରରୁ ଏହା ସ୍ପଷ୍ଟ ହୋଇଛି। ୧୯୬୦ରେ ବେଜିଂ ଉକ୍ତ ଅଞ୍ଚଳରେ ଯେଉଁ କ୍ଲେମ୍‌ ଲାଇନ (ଦାବି ରେଖା)ଧାର୍ଯ୍ୟ କରିଥିଲା, ଏହା ତାହାଠାରୁ ଯଥେଷ୍ଟ ଆଗରେ। ଜୁନ୍‌ ୨୫ରେ ମିଳିଥିବା ହାଇ ରିଜୋଲ୍ୟୁଶନ ସାଟେଲାଇଟ୍‌ ଚିତ୍ର ଅନୁଯାୟୀ ଗଲ୍‌ଓ୍ବାନର ୪୨୩ ମିଟର ଭାରତୀୟ ଅଞ୍ଚଳ ମଧ୍ୟରେ ଚାଇନାର ୧୬ଟି ଟେଣ୍ଟ ଓ ତାର୍‌ପୋଲିନ, ଗୋଟିଏ ବଡ଼ ଶିବିର ଏବଂ ୧୪ଟି ଗାଡ଼ି ଥିଲା।
୧୯୬୦ରେ ଚାଇନା ନିର୍ଦ୍ଦିଷ୍ଟ ଅକ୍ଷାଂଶ ଓ ଦ୍ରାଘିମାକୁ ନେଇ ଉକ୍ତ ଅଞ୍ଚଳରେ ଏହାର ସୀମା ବୋଲି ବିଶ୍ୱାସ କରିଥିଲା ଯାହା ‘ସୀମା ପ୍ରଶ୍ନ ଉପରେ ଭାରତ ସରକାରଙ୍କ ଅଧିକାରୀ ଓ ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନାର ରିପୋର୍ଟ’ ଭାବେ ଜଣାଶୁଣା।୧୯୬୦-୬୧ରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ଦସ୍ତାବିଜ୍‌କୁ ପ୍ରକାଶ କରିଥିଲା, ଯେଉଁଥିରେ ଉଭୟ ପକ୍ଷ ଆଲୋଚନା ବେଳେ ଭାରତ ପଚାରିଥିବା ପ୍ରଶ୍ନ ଓ ଚାଇନାର ଉତ୍ତର ଉଲ୍ଲେଖ ରହିଛି। ସେହି ଅନୁଯାୟୀ ଗଲ୍‌ଓ୍ବାନ ନଦୀ ଉପରେ ଏହି ସୀମାରେଖା ୭୮ଡିଗ୍ରୀ ୧୩’ ପୂର୍ବ ଦ୍ରାଘିମା ଏବଂ ୩୪ ଡିଗ୍ରୀ ୪୬’ ଉତ୍ତର ଅକ୍ଷାଂଶ ଦେଇ ଯାଇଛି। ଗୁଗଲ୍‌ ଆର୍ଥ ପ୍ରୋରେ ଗଲ୍‌ଓ୍ବାନ ଉପତ୍ୟକାରେ ଏହି ଲାଇନ୍‌ର ସ୍ଥିତି ସୂଚାଇଦିଆଯାଇଛି। ସାଟେଲାଇଟ ଚିତ୍ର ଓ ଗୁଗଲ୍‌ ଆର୍ଥ ପ୍ରୋ’ରେ ଦିଆଯାଇଥିବା ସୂଚନାରୁ ସ୍ପଷ୍ଟ ହେଉଛି, ଚାଇନା ସୈନ୍ୟ ନିଜ କ୍ଲେମ୍‌ ଲାଇନ ଅତିକ୍ରମ କରି ଭାରତୀୟ ଅଞ୍ଚଳ ମଧ୍ୟକୁ ୪୨୩ ମିଟର ପ୍ରବେଶ କରିଛନ୍ତି।
ଦୀର୍ଘ ଦୁଇମାସ ହେବ ପୂର୍ବ ଲଦାଖ ସୀମାରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ଗତ ୧୫ ତାରିଖରେ ଗଲ୍‌ଓ୍ବାନ ଉପତ୍ୟକାରେ ଦୁଇ ପକ୍ଷର ସୈନ୍ୟଙ୍କ ମଧ୍ୟରେ ସଂଘର୍ଷ ଘଟି ଜଣେ କଲୋନେଲଙ୍କ ସମେତ ୨୦ ଭାରତୀୟ ଯବାନ ଶହୀଦ ହେବା ସହ ଅନେକେ ଆହତ ହୋଇଥିଲେ। ଚାଇନା ପକ୍ଷରୁ ମଧ୍ୟ ଅନୁରୂପ ସଂଖ୍ୟକ ମୃତାହତ ହୋଇଥିବା କୁହାଯାଉଛି। ଏହା ପରଠାରୁ ସୀମାରେ ଉତ୍ତେଜନା ଚରମ ସୀମାରେ ପହଞ୍ଚତ୍ଛି। ସାମରିକ ଓ କୂଟନୈତିକ ସ୍ତରରେ ଏକାଧିକ ଆଲୋଚନା ସତ୍ତ୍ୱେ ଉତ୍ତେଜନା ପ୍ରଶମିତ ହୋଇନାହିଁ।

Share