ବିଶ୍ୱକୁ ବିଭ୍ରାନ୍ତ କରିଛି ଚାଇନା

ନୂଆଦିଲ୍ଲୀ, ୩।୧୨: କରୋନା ସଂକ୍ରମଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଚାଇନା ଜାଣିଶୁଣି ସରକାରୀ ତଥ୍ୟ ଲୁଚାଇଥିଲା। ଉହାନରୁ ଲିକ୍‌ ହୋଇଥିବା ଏକ ଦସ୍ତାବିଜ୍‌ରୁ ଏହି ରିପୋର୍ଟ ମିଳିଛି। ରିପୋର୍ଟ ଅନୁଯାୟୀ କରୋନା ପ୍ରଥମେ ଚିହ୍ନଟ ହୋଇଥିବା ହୁବେଇ ପ୍ରଦେଶରେ ଫେବୃୟାରୀ ୧୦ ସୁଦ୍ଧା ୫,୯୧୮ ସଂକ୍ରମଣର ତାଲିକା ସ୍ଥାନୀୟ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ ଦେଇଥିଲେ, ଯାହାକି ସରକାରୀ ସୂଚନାଠାରୁ ଦୁଇଗୁଣରୁ ଅଧିକ। ପ୍ରକୃତ ସଂଖ୍ୟା ଚାଇନା ପ୍ରକାଶ କରି ନ ଥିଲା।
ହୁବେଇ ପ୍ରୋଭିନ୍ସିଆଲ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ଶନର ଲିକ୍‌ ହୋଇଥିବା ୧୧୭ ପୃଷ୍ଠାର ଦସ୍ତାବିଜରୁ ଜଣାପଡ଼ିଛି, ନୂଆ ମାମଲା ସଂଖ୍ୟାର ଏକତୃତୀୟାଂଶ ସର୍ବସାଧାରଣରେ ପ୍ରକାଶ କରାଯାଉଥିଲା। ପ୍ରଥମ ଦିନରୁ କରୋନା ସଂକ୍ରମଣ ରୋକିବାରେ ଚାଇନାର ଦୁର୍ବଳ ପରିଚାଳନାକୁ ଉହାନ୍‌ ଫାଇଲ୍‌ ସ୍ପଷ୍ଟ ପ୍ରମାଣିତ କରୁଛି। କୋଭିଡ୍‌-୧୯ ଯେଉଁ ପ୍ରାଣୀ ଶରୀରରୁ ଆସିଛି, ତାକୁ ଖୋଜି ବାହାର କରାଯିବ ବୋଲି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଆଧାନମ୍‌ ଘେବ୍ରେୟେସସ୍‌୍‌ କହିବାର ଦିନକ ପରେ ଚାଇନାର କଳା କାରନାମା ପଦାକୁ ଆସିଛି। ଭୂତାଣୁର ମୂଳ ଖୋଜି ବାହାର କରିବା ଲାଗି ମହାମାରୀ ବିଜ୍ଞାନୀଙ୍କ ସମେତ ଅନ୍ତର୍ଜାତୀୟ ବିଶେଷଜ୍ଞ ଟିମ୍‌ ଚାଇନା ପଠାଇବା ଲାଗି ଡବ୍ଲ୍ୟୁଏଚ୍‌ଓ ଦୀର୍ଘ ମାସ ହେଲା କାର୍ଯ୍ୟ କରିଆସୁଛି। ପ୍ରଥମେ ଜୁଲାଇରେ ଏହି ସଂସ୍ଥା ଚାଇନାକୁ ତଦନ୍ତକାରୀ ଟିମ୍‌ ପଠାଇଥିଲେ ହେଁ ବେଜିଂ ଏପର୍ଯ୍ୟନ୍ତ ବଡ଼ ଟିମ୍‌ ପଠାଇବାକୁ ମଞ୍ଜୁରୀ ଦେଇନାହିଁ। ଚାଇନା ସ୍ବଚ୍ଛତା ଅବଲମ୍ବନ କରୁ ନ ଥିବା ଜାଣି ମଧ୍ୟ ଡବ୍ଲ୍ୟୁଏଚ୍‌ଓ ନୀରବ ରହିଥିବାରୁ ଏହାର କାର୍ଯ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।

Share