ଭାରତ ସହ ସୀମା ଯୁଦ୍ଧ କରୁଛି ଚାଇନା, ପଡ଼ୋଶୀଙ୍କ ପାଇଁ ବଢୁଛି ବିପଦ…

ଓ୍ବାଶିଂଟନ,୧୭।୧୧: ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ଗସ୍ତରୁ ଆମେରିକା ଫେରି ଆସିଥିବା ରିପବ୍ଲିକାନ୍‌ ପାର୍ଟିର ସାଂସଦ ଜନ କର୍ନିନ ଆମେରିକା ସଂସଦ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କରିଛନ୍ତି। ସଂସଦରେ ନିଜର ରିପୋର୍ଟ ଉପସ୍ଥାପନ କରି ସେ କହିଛନ୍ତି ଯେ ଚାଇନା ଭାରତ ସହ ସୀମା ଯୁଦ୍ଧ କରୁଛି। ଏଭଳି ଆକ୍ରମଣାତ୍ମକ ନୀତି ଯୋଗୁଁ ପଡୋଶୀ ଦେଶଗୁଡ଼ିକ ପାଇଁ ବିପଦ ସୃଷ୍ଟି ହେବାରେ ଲାଗିଛି।

ଜନ କର୍ନିନ ଗତ ସପ୍ତାହରେ ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ଗସ୍ତରେ ଆସି ବାହ୍ୟ ବିପଦ ଏବଂ ବିଭିନ୍ନ ଆହ୍ବାନ ସମ୍ପର୍କରେ ଅବଗତ ହେବାର ପ୍ରୟାସ କରିଥିଲେ। ସେ ଆମେରିକାର ପ୍ରତିନିଧି ଦଳର ନେତୃତ୍ୱ  ନେଇଥିଲେ। କର୍ନିନ  ଇଣ୍ଡିଆ କୋକକ୍ସର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି।

କର୍ନିନ ତାଙ୍କ ରିପୋର୍ଟରେ କହିଛନ୍ତି ଯେ ଚାଇନା ଅନ୍ତର୍ଜାତୀୟ ନଦୀ ଜଳ ବଣ୍ଟନ ନିୟମ ପ୍ରତି ବିପଦ ସୃଷ୍ଟି କରୁଛି। ଏହା ସହିତ ଚାଇନା ଦେଶର ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି ଉଇଗର ମୁସଲମାନମାନଙ୍କ ଉପରେ ଅତ୍ୟାଚାର କରି ମାନବିକ ଅଧିକାରର ଉଲ୍ଲଂଘନ କରୁଛି। ସେ କହିଛନ୍ତି ଯେ ଚାଇନା ତାଇୱାନକୁ ପ୍ରତ୍ୟକ୍ଷ ଆକ୍ରମଣ ପାଇଁ ଚେତାବନୀ ମଧ୍ୟ ଦେଇସାରିଛି। ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଦକ୍ଷିଣ ଚାଇନା ସାଗରରେ ଚାଇନା ପ୍ରତିକିୟାଶୀଳ ହେବାରେ ଲାଗିଛି।

Share